ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଲେଣି ୮୦ ହଜାର ଋଷ ସୈନିକ: ପେଣ୍ଟାଗନ

1 min read

ଓ୍ୱାଶିଂଟନ: ଯୁଦ୍ଧକୁ ୧୬୮ ଦିନ ପୂରିଥିବା ବେଳେ ଭୟଙ୍କର କ୍ଷତିର ସମ୍ମୁଖୀନ ହେଲାଣି ଋଷ । ଯୁଦ୍ଧ ଆରମ୍ଭରୁ କେବଳ ଋଷର ପ୍ରାୟ ୮୦ ହଜାର ସୈନିକ ପ୍ରାଣ ହରାଇ ସାରିଛନ୍ତି । ଏନେଇ ରିପୋର୍ଟ ପ୍ରକାଶ କରିଛି ପେଣ୍ଟାଗନ । ଗତ ଫେବ୍ରୁଆରୀ ୨୪ରୁ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏବେ ବି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରିନି ଯୁଦ୍ଧ । ସୈନ୍ୟମାନଙ୍କ ନିକଟକୁ ବିଭିନ୍ନ ସାମଗ୍ରୀ ପହଞ୍ଚିପାରୁ ନଥିବା ବେଳେ, ଦିନକୁ ଦିନ ଅଧିକ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି ଋଷ ବାହିନୀ । ପ୍ରତିଦିନ ୨୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଉଛନ୍ତି ବୋଲି ସୂଚନା ଦେଇଛନ୍ତି ୟୁକ୍ରେନର ଜଣେ ବରିଷ୍ଠ ସାମରିକ ଅଧିକାରୀ ।

ସେପଟେ ନାଟୋରେ ଫିନଲ୍ୟାଣ୍ଡ ଓ ସ୍ୱିଡେନର ମିଶିବା ପ୍ରସ୍ତାବ ସଂକ୍ରାନ୍ତ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଫଳରେ ଋଷର ତୀବ୍ର ବିରୋଧ ସତ୍ତ୍ୱେ ଏହି ଦୁଇ ରାଷ୍ଟ୍ର ନାଟୋରେ ମିଶିବା ପ୍ରାୟ ନିଶ୍ଚିତ ହୋଇଛି । କିଛିଦିନ ତଳେ ସିନେଟରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଦୁଇ ରାଷ୍ଟ୍ରର ଶକ୍ତିଶାଳୀ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମରିକ ଶକ୍ତିକୁ ପ୍ରଶଂସା କରିଛନ୍ତି ବାଇଡେନ । ଏହି ଦୁଇ ରାଷ୍ଟ୍ରଙ୍କୁ ନାଟୋରେ ସାମିଲ କରାଗଲେ ସଂଲଗ୍ନ ସୀମାରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ।

ସେହିପରି ୟୁକ୍ରେନ ବାହିନୀ ନିକଟକୁ ପର୍ଯ୍ୟାପ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର ଆସୁଥିବାରୁ ଋଷବାହିନୀ ଲାଗି ସମସ୍ୟା ବଢ଼ିବାରେ ଲାଗିଛି । ଖୁବ୍ ଶୀଘ୍ର ୟୁକ୍ରେନକୁ ଆମେରିକାର ୧୮ତମ ଅସ୍ତ୍ରଶସ୍ତ୍ର ବୋଝେଇ ଜାହାଜ ଆସୁଥିବା ସୂଚନା ମିଳିଛି । ୟୁକ୍ରେନ ଲାଗି ବାଇଡେନ ପ୍ରଶାସନ ପକ୍ଷରୁ ଘୋଷିତ ବର୍ତ୍ତମାନର ପ୍ୟାକେଜରେ ରହିଛି ୧୦୦ ବିଲିୟନ ଡଲାରର ରକେଟ ସିଷ୍ଟମ, ମୋର୍ଟାର ସିଷ୍ଟମ, ନାସାମସ୍ କ୍ଷେପଣାସ୍ତ୍ର ଓ ଗୋଳାବାରୁଦ ଇତ୍ୟାଦି । ଖାରକିଭର ଏକ ତାପଜ ବିଦ୍ୟୁତ କେନ୍ଦ୍ରକୁ ମଧ୍ୟ ଧ୍ୱଂସ କରିଛନ୍ତି ଋଷ ବାହିନୀ । ଏହାସହ ଓବଲାସ୍ତରେ ଥିବା ପଣ୍ୟାଗାରକୁ ମଧ୍ୟ ଉଡାଇ ଦେଇଛି ଋଷ । ସୁମି ସହର ଉପରେ ଘନ ଘନ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବା ସୂଚନା ମିଳିଛି । ତେଣେ ୟୁକ୍ରେନରେ କ୍ଷୁଧାର ମୁକାବିଲା କରିବା ଲାଗି ବିଶ୍ୱବ୍ୟାଙ୍କ ୪.୫ ବିଲିୟନ ଡଲାରର ସହାୟତା ଘୋଷଣା କରିଛି । ହଜାର ହଜାର ଲୋକ ବର୍ତ୍ତମାନ ଖାଦ୍ୟାଭାବରେ ସଢ଼ୁଥିବାବେଳେ ବିଶ୍ୱବ୍ୟାଙ୍କ ସହାୟତା ଲାଗି ଉଦ୍ୟମ ଆରମ୍ଭ କରିଛି ।