ଦିଲ୍ଲୀ-ଏନସିଆରରେ ସାଂଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ; GRAP-2 ଲାଗୁ

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସାଂଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ । ଆଜିଠୁ ରାଜଧାନୀରେ ଲାଗୁ ହୋଇଛି GRAP-2 । ସୋମବାର ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲା। ଏହା ପରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ବାୟୁ ଗୁଣବତ୍ତା ସୂଚକାଙ୍କ 301 ରୁ 400 ମଧ୍ୟରେ ରହିଥିଲେ GRAP ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ | ଏହି ଅବଧିରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଏ ।

ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି GRAP-2 କାର୍ଯ୍ୟକାରୀ କରିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ନିମ୍ନଶ୍ରେଣୀ’ କୁ ଖସି ଆସିଥିଲା । ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୩୦୦ରୁ ଅଧିକ ରେକର୍ଡ ହୋଇଥିଲା ।

ସକାଳେ ଘନ କୁହୁଡି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ ରେ ଏକ୍ୟୁଆଇ ୩୦୭ରେ ପହଞ୍ଚିଥିଲା। ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ରହିଥିଲା। ତେବେ ଆଗକୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପାର୍କିଂ ଫିସ୍ ବଢ଼ାଇବା ସହିତ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଟକଣା ଲଗାଇପାରନ୍ତି । ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସର ଏକ ପ୍ରମୁଖ କାରଣ ହେଉଛି ପଞ୍ଜାବ ଏବଂ ହରିୟାଣା ଭଳି କୃଷି ପ୍ରାଧାନ୍ଯ ରାଜ୍ୟରେ ନଡ଼ା ଜଳିବା । ଯାହା ଫଳରେ ପ୍ରତ୍ୟେକ ଶରତରେ ବହୁ ପରିମାଣର ଧୂଆଁ ଏବଂ ବାୟୁମଣ୍ଡଳରେ କଣିକାମାନ ଭରିଯାଇଥାଏ ।