ଡ୍ରଗ୍ସ ମାମଲାରୁ ମୁକୁଳିବା ପରେ ପ୍ରଥମ ଥର ମୁମ୍ବାଇର ଏକ ଷ୍ଟୁଡିଓରେ ଟେଷ୍ଟ ସୁଟ୍‌ କଲେ ଆର୍ଯ୍ୟନ୍‌

ମୁମ୍ବାଇ: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ଆର୍ଯ୍ୟନ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ  ପାଇଁ ଏକ ଓ୍ୱେବ୍‌ ସିରିଜ୍‌ ଏବଂ ଫିଚର ଫିଲ୍ମ ଉପରେ କାମ କରୁଛନ୍ତି । ଦୀର୍ଘ ଦିନ ଧରି ଆର୍ଯ୍ୟନ ଏହା ଉପରେ କାମ କରି ଆସୁଥିଲେ ।  ତେଣୁ ସିରିଜ୍‌ ନିର୍ମାଣ ପାଇଁ ସେ କାମ ଆରମ୍ଭ କରି ସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ  ଯୁବ ଫିଲ୍ମ ନିର୍ମାତା ନିକଟରେ ମୁମ୍ବାଇର ଏକ ଷ୍ଟୁଡିଓରେ ଓ୍ୱେବ୍‌ ଶୋ ପାଇଁ ଏକ ଟେଷ୍ଟ ସୁଟ୍‌ କରିଛନ୍ତି ।

ସୂଚନା ଅନୁସାରେ ଏହି ପ୍ରୋଜେକ୍ଟରେ ଆର୍ଯ୍ୟନ୍‌ ନିଜେ ଲେଖକ ଥିବାବେଳେ ନିର୍ଦ୍ଦେଶନା ଭାର ମଧ୍ୟ ତୁଲାଇବେ । ସେ ଖୁବଶୀଘ୍ର ସୁଟିଂର ତାରିଖ ଘୋଷଣା କରିବେ ।

ଫିଲ୍ମ ‘ଜର୍ସି’ର ଅଭିନେତା ପ୍ରୀତ କମାନୀଙ୍କୁ ସେହି ସେଟରେ ସ୍ପଟ୍‌ କରାଯାଇଛି ।  କିନ୍ତୁ ସେ ଏହି ପ୍ରକଳ୍ପରେ କାମ କରିବେ ନା ନାହିଁ ତାହାକୁ ନେଇ କୌଣସି ସୂଚନା ନାହିଁ ।  ତେବେ ଆର୍ଯ୍ୟନଙ୍କ ଅଭିନୟ କଥା ଯଦି ଆଲୋଚନା କରିବା ତେବେ ଶାହାରୁଖ ସବୁବେଳେ କହି ଆସିଛନ୍ତିଯେ ଆର୍ଯ୍ୟନଙ୍କୁ ଅଭିନୟରେ କୌଣସି ସ୍ପୃହା ନାହିଁ । ସେ ଜଣେ ଭଲ ନିର୍ଦ୍ଦେଶକ ହେବାକୁ ଚାହାଁନ୍ତି । ତେବେ ଚାରି ବର୍ଷ ହେବ ଆର୍ଯ୍ୟନ୍‌ ଲେଖିବା ଏବଂ ନିର୍ଦ୍ଦେଶନା ଦେବା ଶିଖୁଥିବା ଏକ ସାକ୍ଷାତକାରରେ କହିଥିଲେ ଶାହାରୁଖ ।

ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍‌ ମଧ୍ୟ ଫିଲ୍ମରେ ଜଲଓ୍ୱା ଦେଖାଇବାକୁ ପ୍ରସ୍ତୁତ ହେଲେଣି ।  ସେ କ୍ୟାମେରା  ସାମ୍ନାକୁ ଆସିବାକୁ ପସନ୍ଦ କରନ୍ତି ଏବଂ ଖୁବଶୀଘ୍ର ସୁହାନା ନେଟଫ୍ଲିକ୍ସର ଏକ ଓ୍ୱେବସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି ।