ଜାମିନ ପାଇଲେ ଆର୍ଯ୍ୟନ, ହେଲେ ଆଜି ରାତି କଟିବ ଜେଲରେ

ମୁମ୍ବାଇ: ଶେଷରେ ଆର୍ଯ୍ୟନଙ୍କୁ ମିଳିଲା ଜାମିନ । ଆର୍ଯ୍ୟନଙ୍କ ସମେତ ଅରବାଜ ମାର୍ଚ୍ଚାଣ୍ଟ, ଓ ମୁନମୁନ ଧମେଚାଙ୍କୁ ବି ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି । ଜାମିନ ମିଳିଥିଲେ ବି ଏମାନଙ୍କୁ ଆଜି ରାତି ଜେଲରେ କାଟିବାକୁ ପଡ଼ିବ । ଶୁକ୍ରମାର କିମ୍ବା ଶନିବାର ଏମାନେ ଜେଲରୁ ମୁକୁଳି ପାରନ୍ତି । ଶୁକ୍ରବାରକୁ କୋର୍ଟଙ୍କ ଅର୍ଡର କପି ଜେଲ୍ ପ୍ରଶାସନକୁ ହସ୍ତାନ୍ତର କରାଯିବ । ଜେଲରେ ଅର୍ଡର କପି ପହଞ୍ଚିବା ପରେ ଏମାନଙ୍କ ବାହାରିବା ପ୍ରକ୍ରିୟା ଆରମ୍ଭ କରାଯିବ । ଏମିତି ସ୍ଥିତିରେ ଯଦି ଶୁକ୍ରବାର ଶୀଘ୍ର ଅର୍ଡର କପି ଆସିଗଲା ତ ଏମାନେ ଜେଲରୁ ବାହାରି ପାରିବେ । ଯଦି ଅର୍ଡର କପି ଆସିବାରେ ବିଳମ୍ବ ହୁଏ ତେବେ ହୁଏତ କାଲି ବି ଏମାନଙ୍କୁ ଜେଲରେ କାଟିବାକୁ ପଡ଼ିବ ।

୩ ଦିନ ଧରି ଚାଲିଥିଲା ଏହି ଜାମିନ ଆବେଦନର ଶୁଣାଣି । ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ  ୩ ଜଣଙ୍କୁ ଜାମିନ ଦେଇଛନ୍ତି । ପୂର୍ବ ଅଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ଯ୍ୟନଙ୍କ ପକ୍ଷରୁ ଲଢୁଥିବା ବେଳେ ଅରବଜଙ୍କ ପାଇଁ ଅମିତ ଦେସାଇ ଏବଂ ମୁନମୁନଙ୍କ ପାଇଁ କାଶିଫ ଖାନ୍ ବରିଷ୍ଠ ଯୁକ୍ତି ବାଢ଼ିଥିଲେ । କୋର୍ଟରେ ଏନସିବି ପକ୍ଷରୁ ଏଏସଜି ଅନୀଲ ସିଂହ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ । ହେଲେ ମୁକୁଲ ରୋହିତଗୀ ବଳିଷ୍ଠ ଯୁକ୍ତି ରଖି ତାଙ୍କର ସବୁ ଯୁକ୍ତିକୁ କାଟିଥିଲେ ।

ଆଜି ଶୁଣାଣି ଆରମ୍ଭ ହେବା ପରେ ଏଏସଜି ଅନୀଲ ସିଂହ ଜାମିନକୁ ବିରୋଧ କରି କୋର୍ଟକୁ କହିଥିଲେ, ଆର୍ଯ୍ୟନ ଡ୍ରଗ୍ସ ଯୋଗାଡ଼ କରୁଥିଲେ । ସେ କିଛି ବର୍ଷ ହେବ ଡ୍ରଗ୍ସ ନେଉଛନ୍ତି, ଏହାର ପ୍ରମାଣ ମଧ୍ୟ ଅଛି । ଏହାସହ ଏନସିବି ଏ ଅଭିଯୋଗ ବି ଆଣିଥିଲା ଯେ, ସେ କିଛି ଯୋଜନାରେ ସାମିଲ ଅଛନ୍ତି ଓ ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣରେ ବି ସମ୍ପୃକ୍ତ ଅଛନ୍ତି ।

ଏନସିବିର ତର୍କକୁ ମୁକୁଲ ଜୋରଦାର ବିରୋଧ କରିଥିଲେ । ସେ କହିଥିଲେ ଜାହାଜରେ ୧୩ ଶହ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ଆର୍ଯ୍ୟନ ଓ ଅରବାଜଙ୍କ ମଧ୍ୟରେ ସମ୍ପର୍କ ଥିଲା । ସେଠାରେ କୌଣସି ଯୋଜନା କରାଯାଉ ନଥିଲା, କାରଣ ବାକି ଲୋକଙ୍କୁ ସେମାନେ ଚିହ୍ନି ନଥିଲେ । ଏମିତି ସ୍ଥିତିରେ କୌଣସି ଯୋଜନାର ପ୍ରଶ୍ନ ହିଁ ଉଠୁନି ।

ସେ ଆହୁରି କହିଥିଲେ, ଏହା କହି ହେବନି ଯେ ସେମାନେ ଆଉ କାହା ସହ ମିଶିଥିଲେ କି ନାହିଁ । ହେଲେ ପାରିପାର୍ଶ୍ବିକ ସ୍ଥିତିକୁ ବି ଅଣଦେଖା କରିହେବନି ।

ସୂଚନାଯୋଗ୍ୟ, ଆଜି ଓ କାଲି ଆର୍ଯ୍ୟନଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା । ଯଦି ଏହି ଦୁଇଦିନ ମଧ୍ୟରେ ତାଙ୍କୁ ଜାମିନ ମିଳିନଥାନ୍ତି ତେବେ ଦୀପାବଳି ଶେଷ ପର୍ଯ୍ୟନ୍ତ ଜେଲରେ କାଟିବାକୁ ପଡ଼ିଥାନ୍ତା ।

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ‘ମନ୍ନତ’ରେ ମିଠା ପ୍ରସ୍ତୁତ ହେବ ନାହିଁ କି ସେ ମିଠା ଖାଇବେ ନାହିଁ ବୋଲି ଗୌରୀ ମନ୍ନତ ରଖିଥିଲେ । ଏବେ ଆର୍ଯ୍ୟନଙ୍କୁ ଜାମିନ ମିଳି ଯାଇଥିବାରୁ ଗୌରୀଙ୍କ ‘ମନ୍ନତ’କୁ ପୁଣି ଖୁସି ଫେରି ଆସିଛି ।

Leave a Reply