ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଫସିବା ସହ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । ପ୍ରଥମେ ତାଙ୍କୁ କ୍ୱାରେଣ୍ଟାଇନ୍ ବ୍ୟାରେକରେ ରଖାଯାଇଥିଲା ବେଳେ ଏବେ ସାଧାରଣ ବ୍ୟାରେକକୁ ପଠାଇଦିଆଯାଇଛି । ଏଥିସହିତ ତାଙ୍କୁ କଏଦୀ ନଂ ମଧ୍ୟ ଦିଆଯାଇଛି । ତାଙ୍କ କଏଦୀ ନଂ ରହିଛି ୯୫୬ ।
ଏବେ ଜେଲରେ ସେ କଏଦୀ ନଂ ଭାବେ ପରିଚିତ ହୋଇଛନ୍ତି । ଏଥିସହିତ ଜେଲ୍ କ୍ୟାଣ୍ଟିନରୁ ଖାଦ୍ୟ ଖାଇବା ଲାଗି ତାଙ୍କୁ ପରିବାର ପକ୍ଷରୁ ୪୫୦୦ ଟଙ୍କା ମନି ଅର୍ଡର ଦିଆଯାଇଛି । ଜେଲର ନିୟମ ଅନୁସାରେ ଜଣେ କଏଦୀଙ୍କୁ ଗୋଟିଏ ମାସରେ କେବଳ ୪୫୦୦ ମନି ଅର୍ଡର ପାଇଁ ଅନୁମତି ରହିଛି ।

ସେହିପରି କ୍ରୁଜ୍ ସିପ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅକ୍ଟୋବର ୨୦ ତାରିଖକୁ ସୁରକ୍ଷିତ ରଖିଛନ୍ତି ବିଚାରପତି ବି ବି ପାଟିଲ୍ । ଗତ ଅକ୍ଟୋବର ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଶୁଣାଣି ସମୟରେ ତାଙ୍କ ଓକିଲ ଜାମିନ ପାଇଁ ଗୁହାରୀ କରିଥିଲେ । ଯାହାଫଳରେ ଆଉ କୌଣସି କୋର୍ଟରେ ଜାମିନ ଆବେଦନ କରିପାରିବେ ନାହିଁ ଆର୍ଯ୍ୟନ୍ । ଏହାକୁ ନେଇ ତାଙ୍କ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ଖାଲି ଏତିକି ନୁହେଁ ପୁଅର ଭବିଷ୍ୟତ ଚିନ୍ତାରେ ରହିଛନ୍ତି ଏବେ ବାପା ଶାହରୁଖ ଓ ମାଆ ଗୌରୀ।

କିଛି ଦିନ ତଳେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ସିପରେ ଚଢାଉ କରିଥିଲେ । ଏହି ସମୟରେ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମଚାଣ୍ଟ୍ ଓ ମୁନମୁନ୍ ଧମେଚାଙ୍କୁ ହେପାଜତରେ ନେଇଥିଳା ଏନସିବି। ଅକ୍ଟୋବର ୨ ତାରିଖରେ ପଚରାଉଚରା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା ।

