କାହିଁକି ବିନା ଦୋଷରେ ଆର୍ଯ୍ୟନଙ୍କୁ ମାସେ ସଜ୍ଜା ?

ମୁମ୍ବାଇ: ଡ୍ରଗ୍ସ ଅନ କ୍ରୁଜ୍ ମାମଲାରେ ବଲିଉଡ ହାର୍ଟଥ୍ରୋବ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଅନ୍ୟ ୫ ଜଣଙ୍କୁ କ୍ଲିନଚିଟ୍ ମିଳିବା ପରେ ଉଠିଛି ଏକାଧିକ ପ୍ରଶ୍ନ । ଆର୍ଯ୍ୟନ ଖାନଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର ହୋଇଥିଲା କି । ସାରା ମାମଲା କଣ ଏକ ନାଟକ ଥିଲା । ଜାଣିଶୁଣି ତାଙ୍କୁ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଇଥିଲା କି । ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିସିବିର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମର ଅଭ୍ୟନ୍ତରୀଣ ଯାଞ୍ଚ ରିପୋର୍ଟ କିଛି ଏହା ହିଁ କହୁଛି ।

ଏସଆଇଟି ରିପୋର୍ଟ ଅନୁସାରେ ଡ୍ରଗ୍ସ ଅନ କ୍ରୁଜ୍ ମାମଲାରେ ତଦନ୍ତକାରୀ ଅଧିକାରୀ କିଙ୍ଗ ଖାନଙ୍କ ପୁଅକୁ ଫସାଇବା ପାଇଁ ଉଦ୍ୟମ କରିଥିଲେ । କ୍ରୁଜରେ ରେଡ୍ ର ଭିଡିଓ ରେକର୍ଡିଂ କରାଯାଇ ନ ଥିଲା । ଏଥିସହ ହ୍ବାଟସଆପ୍ ଚାଟ୍ ବିରୋଧରେ ପ୍ରମାଣ ଯୋଗାଡ କରାଯାଇ ପାରି ନ ଥିଲା । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ବି ହୋଇ ନ ଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ମାମଲାର ଯାଞ୍ଚରେ ଗୁରୁତର ଅନିୟମିତତା ଥିଲା । ଯାଞ୍ଚର ପ୍ରତ୍ୟେକ ପର୍ଯାୟରେ ଅନିୟମିତତା ଥିଲା ବୋଲି ଏନସିବି ଅଧିକାରୀମାନେ କହିଛନ୍ତି ।

ଡ୍ରଗ୍ସ ଅନ କ୍ରୁଜ ମାମଲାର ପ୍ରଥମେ ତଦନ୍ତ କରୁଥିଲେ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଯାଞ୍ଚରେ ଅନିୟମିତତା ପାଇଁ ଏବେ ସମୀର ଓ୍ବାଙ୍ଖଡେଙ୍କ ଆଡକୁ ପରୋକ୍ଷ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଏନସିବିର ଏସଆଇଟି ଯାଞ୍ଚ ରିପୋର୍ଟ ଅନୁସାରେ ଆର୍ଯ୍ୟନ ଖାନଙ୍କ ଫୋନ୍ ସିଜ୍ କଲାବେଳେ ସଠିକ ପ୍ରକ୍ରିୟା ଅନୁସରଣ କରାଯାଇ ନ ଥିଲା । ହ୍ବାଟସଆପ୍ ଚାଟକୁ ଠୋସ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ଆଗରୁ କହିସାରିଛନ୍ତି ବୋଲି ଏନସିବି ଏସଆଇଟିର ଆଭ୍ୟନ୍ତରୀଣ ରିପୋର୍ଟରେ କୁହାଯାଇଛି ।

ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ଆର୍ଯ୍ୟନ ଖାନଙ୍କ ଗିରଫଦାରୀ ରାଜନୈତିକ ବିବାଦରେ ପରିଣତ ହୋଇଥିଲା । ତତ୍କାଳୀନ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକ ଓ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ମଧ୍ୟରେ ତୀବ୍ର ବାଦାନୁବାଦ ସୃଷ୍ଟି ହୋଇଥିଲା । ଆର୍ଯ୍ୟନ ଖାନଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ନଓ୍ବାବ ମଲ୍ଲିକ ଅଭିଯୋଗ କରିଥିଲେ । ଏହି ବିବାଦ ମଧ୍ୟରେ ଏନସିବି ମାମଲାର ଯାଞ୍ଚ୍ କିପରି ଚାଲିଥିଲା, ସେ ନେଇ ଅନୁଧ୍ୟାନ କରିବାକୁ ଏସଆଇଟି ଗଠନ କରିଥିଲା । ଆଉ ଏସଆଇଟି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ବିନା ଦୋଷରେ ଆର୍ଯ୍ୟନ ଖାନଙ୍କୁ ଅଯଥାରେ ମାସେ ଜେଲରେ ରହିବାକୁ ପଡିଥିଲା