ଆଉ ନାହାନ୍ତି ରାମାୟଣର ରାବଣ: ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଆଉ ନାହାନ୍ତି ରାମାୟଣର ରାବଣ । ରାମାନନ୍ଦ ସାଗରଙ୍କ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣଙ୍କ ଦେହାନ୍ତ ହୋଇଛି । ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ  ୮୨ ବର୍ଷ ବୟସରେ ପରଲୋକ ହୋଇଛି ।  ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ। ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କର ନିଧନ ହୋଇଛି । ଆଜି ସକାଳେ ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ଏନେଇ ସୂଚନା ଦେଇଛନ୍ତି।

ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ଖୁବ୍ ପ୍ରଶଂସା ସାଉଁଟିଥିଲେ। ସେ ଟିଭି ଧାରାବାହିକ ବିକ୍ରମ ବେତାଳରେ ମଧ୍ୟ ଅଭିନୟ କରିଥିଲେ। ସେ ଛୋଟ ପରଦାରେ ଫ୍ୟାନ୍ସମାନଙ୍କ ହୃଦୟକୁ ଜିଣି ପାରିଥିଲେ।

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କର ଅଭିନୟ କଳାରେ ଦର୍ଶକଙ୍କୁ ହୃଦୟକୁ ଛୁଇଁ ପାରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେ ପ୍ରାୟ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ କାମ କରିଛନ୍ତି। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ ।

Leave a Reply