ନବୀନଙ୍କୁ ପାନଗାରିଆଙ୍କ ପ୍ରଶଂସା, ଦାରିଦ୍ର୍ୟ ହଟାଇବାରେ ଓଡ଼ିଶା ଉଦାହରଣ

1 min read

ଭୁବନେଶ୍ୱର: ଦିନେ ଭୋକର ଭୂଗୋଳ କହିଲେ ସାରା ବିଶ୍ୱରେ ଚିତ୍ରିତ ହେଉଥିଲା ଓଡ଼ିଶା । କିନ୍ତୁ ଏହି ଦୁର୍ନାମ ଏବେ ଆଉ ନାହିଁ । ଭୋକିଲା ରାଜ୍ୟରୁ ବଳକା ଖାଦ୍ୟଶସ୍ୟ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏହା ସହ ଗରିବୀ କମାଇବାରେ ମଧ୍ୟ ଜାତୀୟସ୍ତରରେ ରେକର୍ଡ କରିଛି ଓଡ଼ିଶା । ସାରା ଦେଶ ନବୀନଙ୍କ ଏହି ବିକାଶ ମଡେଲକୁ ଅନୁକରଣ କରୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଭୂୟଶୀ ପ୍ରଶଂସା କରି ଏମିତି ଦର୍ଶାଇଛନ୍ତି ନୀତି ଆୟେଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ।

ଏକ ଇଂରାଜୀ ଖବରକାଗଜରେ ପାନଗାରିଆ ଦର୍ଶାଇଛନ୍ତି ଯେ ୧୯୯୩ରେ ରାଜ୍ୟରେ ଗରିବୀ ହାର ୪୮.୬ ଥିବା ବେଳେ ୨୦୧୫ରେ ଏହା ଦ୍ରୁତଗତିରେ ହ୍ରାସ ପାଇ ୨୯.୩କୁ ଖସିଥିଲା । ଓଡ଼ିଶାର ସାମଗ୍ରିକ ବିକାଶର ଏହା ଉତ୍କୃଷ୍ଟ ଚିତ୍ର । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ବେଳକୁ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନରେ ଥିଲା । ୨୦୦୦ ମସିହାରେ ରାଜ୍ୟରେ ମୁଣ୍ଡପିଛା ଆୟ ମାତ୍ର ୧୭ ହଜାର ୬୫୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୮୨ ହଜାର ୨୫୭ରେ ପହଞ୍ଚିଛି ।

୧୯୯୯ ମହାବାତ୍ୟା ପରେ ରାଜ୍ୟର ଏକ ପ୍ରତିକୂଳ ସ୍ଥିତିରୁ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଦୂରଦୃଷ୍ଟି, ସ୍ୱଚ୍ଛ ଓ ସ୍ଥିର ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ସ୍ତମ୍ଭ ତଥ୍ୟ ସମ୍ଭଳିତ ଏବଂ ଓଡ଼ିଶାର ପରିବର୍ତ୍ତିତ ବିକାଶର ପ୍ରକୃତ ଚିତ୍ର ବୟାନ କରୁଛି ।