କେଜ୍ରିଓ୍ବାଲ ଗିରଫ: ଏବେ ଜେଲରୁ ଚାଲିବ ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କେଜ୍ରିଓ୍ବାଲ ଗିରଫ ହେବା ପରେ ଦିଲ୍ଲୀରେ ଆପ୍ ସରକାରର କ’ଣ ହେବ ? କିଏ ଚଲାଇବ ଦିଲ୍ଲୀ ସରକାର ?

ସୂଚନାଯୋଗ୍ୟ, ଭାରତରେ ଏହା ପ୍ରଥମ ଘଟଣା ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ କିଏ ଆପ ସରକାର ଚଲାଇବା ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ ଆମ ଆଦମୀ ପାର୍ଟିର ସ୍ପଷ୍ଟ ଉତ୍ତର ରହିଛି । ଆପ୍ ପକ୍ଷରୁ କୁହାଯାଇଛି, କେଜ୍ରିଓ୍ବାଲ ଇସ୍ତଫା ଦେବେ ନାହିଁ । ଜେଲରୁ ହିଁ ସେ ସରକାର ଚଲାଇବେ ।

ସୂଚନାଯୋଗ୍ୟ, ୯ଟି ସମନ ଦେବା ପରେ ଆଜି ୧୦ ସମନ ଦେବାକୁ ପହଞ୍ଚି ଥିଲା ଇଡି । ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଘରର ଯାଞ୍ଚ କରିଥିଲେ । ଏହାପରେ ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କୁ ଗିରଫ କରିଛନ୍ତି ।

ଇଡି ଅଧିକାରୀ ପ୍ରାୟ ୨ ଘଣ୍ଟା କେଜ୍ରିଓ୍ବାଲଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା । ଏହି ସମୟରେ ଇଡି ଯୁଗ୍ମ ନିର୍ଦ୍ଦେଶକ କପିଲ ରାଜ ମଧ୍ୟ ଉପସ୍ଥିତ ଥିଲେ । ପିଏଲଏଲଏ ଧାରା ୫୦ ଅନୁସାରେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଇଡି ଅଧିକାରୀଙ୍କ ପଚରାଉଚରା ବେଳେ ସୁରକ୍ଷା ବଳୟ ଭିତରେ ଭିତରେ ରଖାଯାଇଥିଲା । କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ଆରଏଏଫ ଯାବାନଙ୍କୁ ମୁତୟନ କରାଯାଇଥିଲା । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ବହୁ ସଂଖ୍ୟାରେ କେଜ୍ରିଓ୍ବାଲଙ୍କ ଘର ଆଗରେ ମତୟନ ହୋଇଥିଲେ ।

ଖବର ଜଣାପଡିବା ପରେ ଧିରେ ଧିରେ ଆମ୍ ଆଦମୀ ପାର୍ଟି ନେତା, ମନ୍ତ୍ରୀ ଓ କର୍ମୀଙ୍କ ଭିଡ ଲାଗିଥିଲା । ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆପ୍ ନେତା ଓ କର୍ମୀ ତାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଇଡି ବିରୋଧରେ ସ୍ଲୋଗାନ ଦେଇଥିଲେ । ରେଡ ବେଳେ କୌଣସି ନେତା ଓ ମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଘରକୁ ଛଡା ଯାଇନଥିଲା ।