ବିଜେପିକୁ ହରାଇବା ଲାଗି ଆପ୍ ସୁପ୍ରିମୋ କେଜରିୱାଲଙ୍କ ବଜ୍ର ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଟକ୍କର । ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ କୌଣସି ପ୍ରକାରେ ହରାଇବାକୁ ପଡିବ। ଆମ ଆଦମୀ ପାର୍ଟିକୁ ବିଭିନ୍ନ ଦଳ ସମର୍ଥନ ଦେବାରେ ଲାଗିଛନ୍ତି ବୋଲି କହିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଜାଠ ସମ୍ପ୍ରଦାୟର ସ୍ବାର୍ଥ ପ୍ରତି କେନ୍ଦ୍ର ସରକାର ଗୁରୁତ୍ବ ଦେଉନାହାନ୍ତି। ଜାଠ ସମ୍ପ୍ରଦାୟକୁ ଓବିସି ତାଲିକାଭୁକ୍ତ କରାଯାଉନାହିଁ। ଜାଠମାନଙ୍କୁ ବିଜେପି ଦୀର୍ଘ ଦିନ ଧରି ଧୋକା ଦେଇଆସୁଛି। ଆସନ୍ତା ନିର୍ବାଚନ ବିଜେପି ଓ ଆପ୍ ମଧ୍ୟରେ ହେଉଛି। ଏଥିରେ ଇଣ୍ଡି ମେଣ୍ଟ ସହ କିଛି ଯାଏ ଆସେ ନାହିଁ। ମମତା ବାନାର୍ଜୀ, ଅଖିଳେଶ ଯାଦବ ପ୍ରମୁଖ ଆପକୁ ସମର୍ଥନ ଜଣାଉଛନ୍ତି ବୋଲି ସେ କହିଛନ୍ତି।
ସେପଟେ ବିଜେପିକୁ ହରାଇବା ଲାଗି ଯୋଜନା କରିଛନ୍ତି ବାମପନ୍ଥୀ ଦଳ। ଦିଲ୍ଲୀ ନିର୍ବାଚନରେ ବାମପନ୍ଥୀ ଆପଣାଇବେ ବିଜେପି ବିରୋଧୀ ରଣନୀତି। ବାମପନ୍ଥୀ ଦଳ ୬ ଆସନରେ ଲଢିବେ ବୋଲି କହିଛନ୍ତି ସିପିଏମ ନେତ୍ରୀ ବୃନ୍ଦା କରାତ। ବିଜେପିକୁ ହରାଇବା ଲାଗି କେଉଁ ଆସନରେ ବାମପନ୍ଥୀ ଦଳ କାହାକୁ ସମର୍ଥନ କରିବେ ତାହା ବିଚାର କରାଯାଉଛି ବୋଲି କହିଛନ୍ତି ବୃନ୍ଦା। ବିଜେପିକୁ କୌଣସି ପ୍ରକାରେ ରାଜଧାନୀ ଦିଲ୍ଲୀରେ ହରାଇବାକୁ ପଡିବ। ଦିଲ୍ଲୀବାସୀଙ୍କ ଅଧିକାର ଉପରେ ବିଜେପି ବୁଲଡୋଜର ଚଲାଉଛି। ଦିଲ୍ଲୀର ସ୍ବୟଂଶାସନ କ୍ଷମତା ରକ୍ଷା ଲାଗି ବାମପନ୍ଥୀ ଦଳ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।