ଦିଲ୍ଲୀ ମଦ ନୀତି ମାମଲା, ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । ଆଜି ସିବିଆଇରେ ହାଜରେ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଜେରା କରିବ ସିବିଆଇ । ଦିନ ୧୧ଟାରେ ସିବିଆଇରେ ହାଜର ହେବେ କେଜ୍ରିଓ୍ବାଲ । ଏଥିପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମଦ ନୀତି ପରିବର୍ତ୍ତନ ନିଷ୍ପତ୍ତି, କିକବ୍ୟାକ ଆଦି ଅଭିଯୋଗ ସମ୍ପର୍କରେ ତଦନ୍ତକାରୀ ଦଳ କରିବ ଖୋଳତାଡ଼ । କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।
ସେପଟେ ହାଜର ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମଦ ନୀତି ମାମଲାରେ ସିବିଆଇ ଓ ଇଡି ମିଛ ଅଭିଯୋଗ କରିଛନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । ଏପରିକି ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ମିଛ ସତ୍ୟପାଠ ବି ଦାଖଲ କରିଛନ୍ତି । ବାରମ୍ବାର ରେଡ୍ ପରେ ବି ଦୁଇ ସଂସ୍ଥା କିଛି ପାଇନାହାନ୍ତି । ବହୁ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ ନିର୍ଯାତନା ଦେଉଛନ୍ତି । ସେପଟେ ସିବିଆଇ କହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି ।