ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି କେଜ୍ରିୱାଲଙ୍କ ୩ୟ ଇନିଂସ୍ । ଦିଲ୍ଲୀ ଜନତାଙ୍କ ଦିଲ୍ ଜିତି ଏବେ ବଡ଼ ଧରଣର ସଫଳତା ପାଇଛି ଆପ୍ । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଆଜି  କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ଶପଥ ନେଉଛନ୍ତି । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ । ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନ ପ୍ରସ୍ତୁତ ହୋଇ ସାରିଛି । ଶପଥ ଗ୍ରହଣ ସମାରୋହରେ ଶିକ୍ଷକମାନେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବା ଆଦେଶ ନେଇ ସରକାର ୟୁଟର୍ଣ୍ଣ ନେଇଛନ୍ତି। କିନ୍ତୁ ଏବେ ଶିକ୍ଷକଙ୍କ ଉପସ୍ଥିତି ଇଚ୍ଛାଧୀନ କରି ଦିଆଯାଇଛି। ଦିଲ୍ଲୀର ଚାରିଆଡ଼େ ବିରୋଧ କରାଯିବା ପରେ ସରକାର ନିଜର ନିଷ୍ପତ୍ତିରୁ ଓହରିଥିବା ଜଣାପଡ଼ିଛି ।

କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିଜୟୀ ହୋଇଥିଲା । ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।

Leave a Reply