ସିବିଆଇ ଅଫିସରେ ହାଜର ହେଲେ କେଜ୍ରିଓ୍ୱାଲ, ସିବିଆଇ ଅଫିସ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲା । ସିବିଆଇ ଅଫିସରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସିବିଆଇ ଅଫିସ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଧାରାସ୍ତାରେ ଅଟକାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋଧି ରୋଡରେ ଧାରଣା ଦେଇଛନ୍ତି ଆପ୍ ନେତା । ସେପଟେ ସିବିଆଇରେ ହାଜର ହେବା ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ବିଜେପି ଓ କେନ୍ଦ୍ରୀୟ ଏଜେନ୍ସି ଉପରେ ବର୍ଷିଛନ୍ତି କେଜରିଓ୍ବାଲ । ୫ ମିନିଟ ୨୭ ସେକେଣ୍ଡର ଭିଡିଓରେ କେଜ୍ରିଓ୍ବାଲ କହିଛନ୍ତି, ଏହି ଲୋକମାନ ବହୁତ ଶକ୍ତିଶାଳୀ । ବିଜେପି ଇଙ୍ଗୀତରେ ସିବିଆଇ କାମ କରୁଛି । ମୋତେ ଗିରଫ କରିବାକୁ ବିଜେପି ନିର୍ଦ୍ଦେଶ ଦେଇଥାଇପାରେ । ସିବିଆଇ ବିଜେପି ଦ୍ବାରା ପରିଚାଳିତ ବୋଲି କେଜ୍ରିଓ୍ବାଲ କହିଛନ୍ତି । କେନ୍ଦ୍ର ସରକାର ସତ୍ତା ଲୋଭରେ ଏକଛତ୍ରବାଦ ଶାସନ ଚଲାଇଥିବା କହିଛନ୍ତି କେଜ୍ରିୱାଲ ।

ତେବେ ସିବିଆଇରେ ହାଜର ପୂର୍ବରୁ କେଜ୍ରିଓ୍ବାଲ ରାଜଘାଟରେ ପହଞ୍ଚି ଗାନ୍ଧିଜୀଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେପଟେ କେଜ୍ରିଓ୍ବାଲଙ୍କୁ ସମନକୁ ନେଇ ଆପ୍ ସମର୍ଥକ ଦିଲ୍ଲୀ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି । ପୋଲିସ କେତେଜଣ ପ୍ରତିବାଦକାରୀଙ୍କୁ ଉଠାଇନେଇଛି । ପୂର୍ବରୁ ସମାନ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।