ଘରକୁ ଘର ରାଶନ ଯୋଜନାକୁ ନେଇ କେନ୍ଦ୍ର ଓ କେଜ୍ରିୱାଲ ମୁହାଁମୁହିଁ

ନୂଆଦିଲ୍ଲୀ: ଘରକୁ ଘର ରାଶନ ଯୋଜନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ସରକାର ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ଘରକୁ ଘର ରାଶନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିଲା । କିନ୍ତୁ ଏହାକୁ ଏହା କହି ରୋକି ଦିଆଗଲା ଯେ, ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନାହିଁ । ଏହା ଭୂଲ ।
ଏହା ସହିତ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଆମେ ଥରୁଟିଏ ନୁହେଁ ୫ଥର କେନ୍ଦ୍ରଠାରୁ ଏହି ଯୋଜନା ପାଇଁ ଅନୁମତି ନେଇଛୁ । ଆଇନଗତ ଭାବେ ଏଥିପାଇଁ ଅନୁମତିର ଆବଶ୍ୟକତା ନାହିଁ । ରାଶନର ହୋମ ଡେଲିଭରି କାହିଁକି ହୋଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ରାଶନ ମାଫିଆ ସହିତ ଛିଡା ହୋଇଥିବା ଅଭିଯୋଗ ଆଣି ସେ କହିଛନ୍ତି ଯେ, ଆପଣ ଯଦି ରାଶନ ମାଫିଆ ସହିତ ଛିଡା ହେବେ ତେବେ ଗରିବଙ୍କର କ’ଣ ହେବ । ସେହି ୭୦ ଲକ୍ଷ ଗରିବଙ୍କର କ’ଣ ହେବ ଯେଉଁମାନଙ୍କ ରାଶନ ମାଫିଆ ଚୋରି କରୁଛି ।
ଦିଲ୍ଲୀ ସରକାରଙ୍କ କହିବା ହେଉଛି କେନ୍ଦ୍ର ସରକାର ଏହି ବୈପ୍ଲବିକ ଯୋଜନାକୁ ଅଟକାଉଛନ୍ତି । ଦୁଇଟି କାରଣ ଦର୍ଶାଇ ରାଶନର ହୋମ ଡେଲିଭରିକୁ ଉପ ରାଜ୍ୟପାଳ ରୋକୁଛନ୍ତି । କେନ୍ଦ୍ର ଏଥିପାଇଁ ଅନୁମତି ଦେଇ ନାହିଁ ଓ ଏହି ଯୋଜନା ବିରୋଧରେ ଅଦାଲତରେ ମାମଲା ଚାଲୁଥିବାରୁ ଫାଇଲକୁ ଉପ ରାଜ୍ୟପାଳ ଅଟକାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି

ବିବାଦର କାରଣ କ’ଣ ?
ରାଶନର ହୋମ ଡେଲିଭରିକୁ ନେଇ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ପୁରୁଣା । ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ ପ୍ରଥମେ କେନ୍ଦ୍ର ଏହା କହି ବିରୋଧ କରିଥିଲା ଯେ, ଏହି ଯୋଜନା କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଅନ୍ତର୍ଗତରେ ଆସୁଛି । ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ରାଜ୍ୟ କରିପାରିବେ ନାହିଁ । କେବଳ ସଂସଦ ହିଁ ଯୋଜନାରେ ପରିବର୍ତ୍ତନ କରି ପାରିବ । ତେଣୁ ଦିଲ୍ଲୀ ସରକାର ନା ଯୋଜନାର ନାମ ପରିବର୍ତ୍ତନ କରି ପାରିବ ନା ଏହାକୁ ଆଉ କୌଣସି ଯୋଜନା ସହିତ ଯୋଡି ପାରିବ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାର ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ୍ ଯୋଜନା ନାଁ ଆରମ୍ଭ କରିବାକୁ ଚାହୁଁଥିଲା । ନାମକରଣକୁ ନେଇ ବିବାଦ ପରେ ଦିଲ୍ଲୀ ସରକାର ଯୋଜନାରୁ ମୁଖ୍ୟମନ୍ତ୍ରୀଙ୍କ ନାମ ହଟାଇ ଦେଇଥିଲେ । ଏହା ପରେ ଦିଲ୍ଲୀ ସରକାର ଏହାକୁ ଘରକୁ ଘର ରାଶନ ଯୋଜନା ନାମରେ ଆରମ୍ଭ କରିବାକୁ ଚାହିଁଥିଲେ । କିନ୍ତୁ କେନ୍ଦ୍ର ସରକାର ଏହାକୁ ମଧ୍ୟ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି ।

Leave a Reply