ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ କଣ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍ ,ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀ ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ , ଆମେ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ । ଏହି ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ । ଆମେ ଲୋକଙ୍କ ସୁଖ ଦୁଖରେ ସାହାର୍ଯ୍ୟ କରିବୁ । କେଜ୍ରିଓ୍ବାଲ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ , ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିଛି । ଲୋକଙ୍କ ନିଷ୍ପତ୍ତି ଯାହା ହେଉ, ଆମେ ତାକୁ ନମ୍ରତାର ସହ ଗ୍ରହଣ କରୁଛୁ । ଦିଲ୍ଲୀ ବାସୀଙ୍କ ନିଷ୍ପତ୍ତି ଆମର ଶିରୋଧାର୍ଯ୍ୟ  । ବିଜେପିକୁ ଜିତିବା ପାଇଁ ଅଭିନନ୍ଦନ । ମୁଁ ଆଶା କରୁଛି ଯେ, ଯେଉଁ ଆଶାର ସହ ଦିଲ୍ଲୀବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି ସେମାନେ ସେହି ଆଶା ପୂରଣ କରିବେ  । ସେ କହିଥିଲେ ଯେ , ଗତ ଦଶବର୍ଷ ମଧ୍ୟରେ ଜନସାଧାରଣ ଆମକୁ ଦେଇଥିବା ସୁଯୋଗରେ ଆମେ ବହୁତ କାମ କରିଛୁ  । ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଏବଂ ପାଣି କ୍ଷେତ୍ରରେ ବହୁତ କାମ ହୋଇଛି। ଆମେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛୁ। ଦିଲ୍ଲୀର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଚେଷ୍ଟା କରିଛୁ  ।

କେଜ୍ରିଓ୍ବାଲ ଏହା ମଧ୍ୟ କହିଛନ୍ତି ଯେ ଆମେ ଲୋକଙ୍କ ସୁଖ ଦୁଖରେ କାମରେ ଆସିବୁ । କାରଣ ଆମେ ରାଜନୀତି କ୍ଷମତାରେ ରହିବୁ ବୋଲି କରିନଥିଲୁ । ଆମେ ରାଜନୀତିକୁ ଏକ ମାଧ୍ୟମ ବୋଲି ଭାବୁ ଯାହା ଦ୍ବାରା ଆମେ ଲୋକଙ୍କ ସେବା କରିପାରିବୁ । ଆମେ କେବଳ ଦୃଢ ବିରୋଧୀ ଦଳର ଭୂମିକା ଗ୍ରହଣ କରିବୁ ନାହିଁ ବରଂ ସମାଜସେବା ମଧ୍ୟ ଜାରି ରଖିବୁ  । ଆମେ ସୁଖ ଦୁଖରେ ଏହିପରି ଭାବେ ଲୋକଙ୍କୁ ସାହାର୍ଯ୍ୟ କରିବୁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆମ୍ ଆଦମୀ ପାର୍ଟିର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି  । ଆମର କର୍ମୀମାନେ ବହୁତ କଠିନ ପରିଶ୍ରମ କରିଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ସହ୍ୟ କରିଥିଲେ କିନ୍ତୁ ଏହି ନିର୍ବାଚନ ସମୟରେ ସେ ଚମତ୍କାର ଭାବରେ ନିର୍ବାଚନ ଲଢ଼ିଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।