ଆଜି ସରୁଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୪ ଦିନିଆ ଇଡି ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଜି ସରୁଛି ୪ ଦିନର ରିମାଣ୍ଡ ଅବଧି। ଆଜି କେଜରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିବ ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ଵିତୀୟ ଥର ଲାଗି ରିମାଣ୍ଡରେ ନେଇଥିଲା ଇଡି। ତଦନ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇନଥିବାରୁ ପୁଣିଥରେ ୭ ଦିନିଆ ରିମାଣ୍ଡ ଦାବି କରିଥିଲା ଇଡି। ଇଡିର ଦାବିକୁ ନେଇ ଗତ ଗୁରୁବାର ଦିନ ୪ ଦିନ ରିମାଣ୍ଡ ପ୍ରଦାନ କରିଥିଲେ ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ। ଜେରାବେଳେ କେଜରିୱାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଥିଲା। ମାମଲାରେ ଗୋଆର କିଛି ନେତାଙ୍କ ସହ କେଜରିୱାଲଙ୍କୁ ସାମନା ସାମନି ଜେରା କରିବାକୁ ଚାହୁଁଥିବା କହିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ ୨୧ ତାରିଖରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆମ ଆଦମୀ ପାର୍ଟିକୁ ବଦନାମ କରିବା ସହ ଏହାକୁ ଧ୍ଵଂସ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ କେଜରିୱାଲ।  ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜରିୱାଲଙ୍କ ବିରୋଧରେ ୪ ଜଣ ସାକ୍ଷ ପ୍ରଦାନ କରିଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ କଣ ୪ ଜଣଙ୍କ ସାକ୍ଷ ପର୍ଯ୍ୟାପ୍ତ ବୋଲି ବିଚାରପତିଙ୍କୁ ପଚାରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ମାମଲାରେ ଏବେଯାଏ ଆମ ଆଦମୀ ପାର୍ଟିର କେଜରିୱାଲଙ୍କ ସହ ୪ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି। ନିକଟରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ମାରାଥନ ଜେରା କରିଥିଲା ଇଡି ।