spot_img

Latest Posts

ଆଜି ଆସିପାରେ କେଜ୍ରିୱାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ସଂରକ୍ଷିତ ରାୟ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲା । ଆଜି ଆସିପାରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ରାୟ। ଗତ ୫ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ କରିଥିଲେ ଭର୍ତ୍ସନା। କେଜରିୱାଲଙ୍କୁ ପୁନର୍ବାର ଗିରଫ କରାଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାର ଥିଲା। ମାତ୍ର କାହିଁକି ସିବିଆଇ ଏହା କଲା ନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ମଦନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜରିୱାଲଙ୍କୁ ଜାମିନ ମିଳିସାରିଛି। ମାତ୍ର ସିବିଆଇ ଗିରଫ କରିବା ଯୋଗୁ ତାଙ୍କୁ ଜାମିନ ମିଳିପାରିନାହିଁ। ଏକ ସ୍ପେଶାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ଯାନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜରିଓ୍ବାଲ। ସେପଟେ ସବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜରିଓ୍ବାଲ ଚାହୁଁଛନ୍ତି ।

ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜରିଓ୍ବାଲ ତିହାର ଜେଲରେ ଥିବା ବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ। ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ। ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

Latest Posts

Don't Miss