ରାଜ୍ଯରେ ଶିଶୁ ଓ ମହିଳା ଏବେ ସଂପୂର୍ଣ୍ଣ ଅସୁରକ୍ଷିତ : ଅରୁଣ ସାହୁ
ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ଶିଶୁ ଓ ମହିଳା ଏବେ ସଂପୂର୍ଣ୍ଣ ଅସୁରକ୍ଷିତ । ଆଜି ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଏପରି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଟାକ୍ଷ କରି ଅରୁଣ କହିଛନ୍ତି, ବିଜେପି ସରକାରକୁ ଛଅ ମାସ ପୂରିବାକୁ ଯାଉଛି । ଅର୍ଥାତ ୧୫୦ ଦିନରୁ ଅଧିକ ଦିନ ବିତିଲାଣି । ସେମାନେ ଶହେ ଦିନରେ ସବୁ କରିଦେବେ ବୋଲି କହିଥିଲେ । ଏହା ଭିତରେ ଭୁବନେଶ୍ୱରକୁ କ୍ରାଇମରେ ଏକ ନମ୍ବର ସିଟି କରିସାରିଲେଣି । ନାରୀ ଥାନାରେ ମାଡ଼ ଖାଇଲେ, ଶିଶୁ ବିକ୍ରି ହେଲା ।
ଏହି ପାଞ୍ଚ ମାସରେ ୧୨୫୬ ଦୁଷ୍କର୍ମ ହେଲାଣି । ମୟୂରଭଞ୍ଜ ପରି ଶାନ୍ତିପ୍ରିୟ ଜିଲ୍ଲାରେ ୫୨ ଦୁଷ୍କର୍ମ ହେଲାଣି । ବେଶ ହାଲୁକା ଭାବେ ସରକାର କାମ କରୁଛନ୍ତି । ସରକାର ସିରିୟସ ହେଉନାହାନ୍ତି । ଯାହା ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛି । ସରକାର ବି ଅପରାଧୀଙ୍କୁ ସାହାଯ୍ୟ କରୁଛନ୍ତି । ବାରମ୍ବାର ଥାନାକୁ ବିଜେପି ନେତା ଫୋନ କରି ପୋଲିସର ମନୋବଳ କମାଉଛନ୍ତି । ଆଉ କିଛି ଦିନରେ ସେମାନେ ଅତ୍ୟାଚାରରେ ରେକର୍ଡ କରି ଦେବେ । ବିଜେପିର ଅତି ତଳ ଶ୍ରେଣୀୟ କର୍ମୀ ପୋଲିସ ଜିଲ୍ଲାପାଳଙ୍କୁ ଧମକାଉଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ଯ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସରକାର ଗଠନ ହେବାର ୬ ମାସ ଭିତରେ ସବୁ କ୍ଷେତ୍ରରେ ଅପରାଧ ବଢିଚାଲିଛି ।
ଶିଶୁ ମାନଙ୍କର ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ଶପଥ ନେଲାବେଳେ କହୁଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ କରିଦେବୁ। କିଛି ବରଦାସ୍ତ କରିବୁନି ବୋଲି କହିଥିଲେ । କିନ୍ତୁ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଥିବାବେଳେ ସରକାର ମାନିବା ପାଇଁ ନାରାଜ । ଶିଶୁ ବିକ୍ରି ହେଉଛି । ରାଜ୍ୟରେ ଅନାହାର, ଅପପୁଷ୍ଟିରେ ଆଦିବାସୀ ମରୁଛନ୍ତି । ଡବଲ ଇଞ୍ଜିନ ସରକାରର ସମ୍ବିଧାନ ପ୍ରତି ସମ୍ମାନ ନାହିଁ । କେନ୍ଦୁଝରେ ଦେଢ଼ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଶିକାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଦେଢ଼ ବର୍ଷ ଶିଶୁ ବି ଯୌନ ନିର୍ଯାତନାର ଶିକାର ହେଉଛି ।
୧୬ ନଭେମ୍ବର ୨୦୨୪ରେ ବଲାଙ୍ଗୀର ବଙ୍ଗମୁଣ୍ଡାରେ ଜଣେ ଝିଅକୁ ଦୁଷ୍କର୍ମ କରାଗଲା । ତାକୁ ବିଷ୍ଠା ବି ଖୁଆଇ ଦିଆଗଲା । ଗୋଟିଏ ଅଞ୍ଜନା ଘଟଣାରେ ସରକାର ବଦଳି ଗଲା । କିନ୍ତୁ ଏବେ କେତେ ଅଞ୍ଜନା ହେଉଛି ଯାହାକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ରାଜ୍ଯ ସରକାର ବୋଲି ସମାଲୋଚନା କରିଛନ୍ତି ରାମଚନ୍ଦ୍ର ।