‘ରାମାୟଣ’ର ରାମଙ୍କ ମୋଟ ସମ୍ପତ୍ତି କେତେ? ଗୋଟିଏ ଏପିସୋଡ ପାଇଁ ସେ କେତେ ଟଙ୍କା ନେଉଥିଲେ?

ମିରଟ: ଲୋକପ୍ରିୟ ଟିଭି ସିରିଏଲ ରାମାୟଣରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏଥର ନିର୍ବାଚନ ଲଢ଼ିବେ । ଏହି ସିରିଏଲ ପରଠାରୁ ସେ ଦେଶ ଏବଂ ବିଦେଶରେ ବେଶ ପରିଚିତ । ଅରୁଣ ମିରଟରେ ୧୨ ଜାନୁଆରୀ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ସିରିଏଲ ରାମାୟଣ ସହ ବହୁ ସିରିଏଲରେ ଅଭିନୟ କରିଛନ୍ତି । ତେବେ ରାଜନୀତିରେ ପ୍ରବେଶ କରିଥିବା ଅରୁଣ ଗୋଭିଲଙ୍କ ମୋଟ ସମ୍ପତ୍ତି କେତେ? ଏବଂ ସେ ରାମାୟଣର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ନେଉଥିଲେ?

ସିରିଏଲ ବିକ୍ରମ ବେତାଳଠୁ ନେଇ ଏବେ ଆସିଥିବା ଫିଲ୍ମ ଆର୍ଟିକିଲ ୩୭୦ରେ ସେ ନଜର ଆସିଥିଲେ । ତାଙ୍କ ବାପା ସରକାରୀ ଅଧିକାରୀ ଥିଲେ । ସେ ଚାହୁଁଥିଲେ ତାଙ୍କ ପରି ପୁଅ ବି ସରକାରୀ ଚାକିରି କରୁ । କିନ୍ତୁ ବାପା ତାଙ୍କୁ ଥରେ କହିଥିଲେ, ଏମିତି କାମ କର ଯେଉଁ କାମ ଦ୍ବାରା ଲୋକେ ସବୁବେଳେ ମନେ ରଖିବେ । ଏଥିପାଇଁ ସେ କିଛି ଅଲଗା କରିବାକୁ ଚେଷ୍ଟା କରୁଥିଲେ ।

ମିରଟରେ ପାଠ ପଢ଼ିବା ପରେ ସେ ଚୌଧୁରୀ ଚରଣ ସିଂ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଥିଏଟର ଏବଂ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ସେ ୧୯୭୫ ମସିହାରେ ମୁମ୍ବାଇକୁ ଆସିଥିଲେ । ମୁମ୍ବାଇରେ ଭାଇଙ୍କ ସହ ରହୁଥିଲେ । ଏହା ପରେ ତାଙ୍କୁ ବିକ୍ରମ ବେତାଳ ସିରିଏଲ ମିଳିଥିଲା । ଏହା ପରେ ତାଙ୍କୁ ରାମାୟଣ ସିରିଏଲରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ସେତେବେଳେ ସେ ରାମାୟଣର ଗୋଟିଏ ଏପିସୋଡ ପାଇଁ ୫୧ ହଜାର ଟଙ୍କା ନେଉଥିଲେ । ରାମାୟଣର ମୋଟ ୮୧ ଟି ଏପିସୋଡ ଥିଲା । ଏହି ସବୁକୁ ହିସାବ କଲେ ତାଙ୍କୁ ମୋଟ ୪୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଏହା ପରେ ତାଙ୍କୁ ଆଉ ଏକ ସିରିଏଲରୁ ୫୦ ଲକ୍ଷ ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ ଅରୁଣଙ୍କ ସମ୍ପତ୍ତି ମୋଟ ୩୮ କୋଟି । ୨୦୨୨ରେ ସେ ୬୦ ଲକ୍ଷ ଟଙ୍କାର ଏକ ଲକ୍ଜୁରୀ କାର୍ ବି କିଣିଥିଲେ । ଏହା ସହ ମୁମ୍ବାଇରେ ତାଙ୍କର ଏକ ଆଲିସାନ୍ ଘର ବି ରହିଛି । ଏବେ ତାଙ୍କର ବର୍ଷକୁ ରୋଜଗାର ୪ ଲକ୍ଷ ବୋଲି କହିଛନ୍ତି । ଅଭିନୟ ଏବଂ ବିଜ୍ଞାପନରୁ ଏହି ଟଙ୍କା ସେ ରୋଜଗାର କରନ୍ତି ।