ବ୍ରେନ୍ ଷ୍ଟ୍ରୋକରେ ପୀଡିତ ଗୀତିକାର ବୃନ୍ଦାବନ ଜେନା: ସଂସ୍କୃତି ବିଭାଗ କିମ୍ବା ଚଳଚ୍ଚିତ୍ର ଜଗତରୁ ମିଳୁନି ସହାୟତା, କ୍ଷୋଭ ପ୍ରକାଶ କଲେ ପରିବାର

କଟକ: ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଭଳି ଶୃତି ମଧୁର ତଥା ଲୋକପ୍ରିୟ ଗୀତ ରଚନା କରିଥିବା ବୃନ୍ଦାବନ ଜେନା ଏବେ କଟକ ବଡ ମେଡିକାଲର ଆଇସିୟୁରେ। ୮୧ ବର୍ଷ ବୟସରେ ସେ ବ୍ରେନ୍ ଷ୍ଟ୍ରୋକରେ ପୀଡିତ ହୋଇ ଦଶ ଦିନ ହେବ ଚିକିତ୍ସିତ ହେଉଛନ୍ତି। ବଡ କଥା ହେଉଛି ୩୦ ଚଳଚ୍ଚିତ୍ର ଗୀତ ରଚନା ଓ ୮ଟି ଚଳଚ୍ଚିତ୍ରର ସଂଳାପ ଲେଖିଥିବା ବୃନ୍ଦାବନଙ୍କ ଚିକିତ୍ସା କଥା ବୁଝିବାକୁ ତଥା ତାଙ୍କ ପରିବାରକୁ ଟିକେ ସାନ୍ତ୍ବନା ଦେବାକୁ ସରକାରୀ ଅଧିକାରୀ କି ଚଳଚ୍ଚିତ୍ର ଜଗତର କେହି ଆସି ନଥିବା ଅଭିଯୋଗ ହୋଇଛି। ଯାହା ପରିବାର ଲୋକଙ୍କୁ ଟିକେ କଷ୍ଟ ଦେଉଛି।
ଘରେ ମାଳ ମାଳ ପୁରସ୍କାର, ସମ୍ବର୍ଦ୍ଧିତ ମାନପତ୍ର ଓ ଥାକରେ ବହୁ ସଂଖ୍ୟକ ପୁସ୍ତକ। ତଥାପି ଖାଲି ପଡିଛି ଚେୟାର ଟେବୁଲ ଓ ଖାଁଖାଁ ପୂରା ଘର। ହଁ ଆମେ କହୁଛୁ, ବହୁ ଲୋକପ୍ରିୟ ଚଳଚିତ୍ର ସଂଗୀତର ଗୀତ ରଚନା କରିଥିବା ବୃନ୍ଦାବନ ଜେନାଙ୍କ କଥା। ୮୧ ବର୍ଷିୟ ବୃନ୍ଦାବନ ଏବେ କଟକ ବଡ ମେଡିକାଲ ମେଡିସିନ ବିଭାଗ ଆଇସିୟୁ ରେ ବ୍ରେନ୍ ଷ୍ଟ୍ରୋକ ରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ପତ୍ନୀ ଓ ପୁତୁରା ସାଙ୍ଗରେ ଥିଲେ ସୁଦ୍ଧା ଏହି ସୁନ୍ଦର ସ୍ରଷ୍ଟାଙ୍କ କଥା ବୁଝିବା ପାଇଁ ସଂସ୍କୃତି ବିଭାଗ କିମ୍ବା ଚଳଚ୍ଚିତ୍ର ଜଗତର କେହି ବି ମେଡିକାଲ କି ଘରେ ପାଦ ଦେଉନାହାନ୍ତି। ଏହାହିଁ ପରିବାରର ଦୁଃଖ। ୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିଥିବା ବୃନ୍ଦାବନଙ୍କ କୃତୀ ଭିତରେ ରହିଛି ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ଯେ ଅଭୂଲା ସ୍ମୃତି ଭଳି ଚୀର ସବୁଜ ଗୀତ।
କେବଳ ଗୀତ ରଚନା ନୁହେଁ ବରଂ ୮ ଟି ଚଳଚ୍ଚିତ୍ରରେ ସେ ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଭାବେ କାମ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଶାସ୍ତ୍ରୀ ଓ ବାଟ ଅବାଟ ଜାତୀୟ ସ୍ତରରେ ସମ୍ମାନଜନକ ପୁରସ୍କାର ପାଇଥିଲା। ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ସ୍ନାତକୋତ୍ତର ବିଭାଗରୁ ପ୍ରଥମ ସ୍ବର୍ଣ୍ଣପଦକ ବିଜେତା ଛାତ୍ର ଭାବେ ଉତ୍ତୀର୍ଣ୍ଣ ହେବା ପରେ ବୃନ୍ଦାବନ ଟେଲିକମ୍ ବିଭାଗରେ ଚାକିରି କରିବା ସହ ଚଳଚ୍ଚିତ୍ର ଗୀତ ରଚନା, ପୁସ୍ତକ ରଚନାରେ ଲାଗି ପଡିଥିଲେ। ସେ ୧୫ଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି। ତେବେ ତାଙ୍କର ଏଭଳି ସମୟରେ ତାଙ୍କର ଯତ୍ନ ବା ତାଙ୍କ ପରିବାରକୁ ଉଚିତ ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ବୃନ୍ଦାବନଙ୍କ ପତ୍ନୀଙ୍କ କହିବା କଥା ଯେଉଁ ଲୋକଟା ଜୀବନ ସାରା ଗୀତ ଲେଖା, ବହି ଲେଖାରେ କଟାଇଲା, ତା କଥା ତା ପରିବାର ପାଖରେ ସାନ୍ତ୍ଵନା ଦେବାକୁ କେହି କଣ ଉଚିତ ମଣୁ ନାହାନ୍ତି।