ବସିଛି ଛାତ୍ରଛାତ୍ରୀଙ୍କ ହାଟ: ଆସି କିଣି ନିଅ ଦେଶୀ କୁକୁଡ଼ା

ମାଲକାନଗିରି: ସ୍କୁଲ ପରିସରରେ ବସିଛି ହାଟ । ଭଳିକି ଭଳି ଦୋକାନର ପସରା ମେଲିଛି । ପନିପରିବାଠାରୁ ଆରମ୍ଭ କରି ଖାଦ୍ଯ ସାମଗ୍ରୀ, ଝାଡୁ, କୁକୁଡା ଭଳି ଭଳିକି ଭଳି ଦୋକାନ । କିଛି ଛାତ୍ରଛାତ୍ରୀ ଦୋକାନୀ ସାଜିଥିବା ବେଳେ ଆଉ କିଛି ଗ୍ରାହକ । କିଏ ଚିଲ୍ଲେଇ ଚିଲ୍ଲେଇ କହିଛି ଦେଶି କୁକୁଡା ନେବ ଆଶ ତ ଆଉ କିଏ କହିଛି ଭେଣ୍ଡି ଶସ୍ତା ଅଛି ବାଇଗଣ ଶସ୍ତା ଅଛି ମୋ ପାଖକୁ ଆସ । ଏପରି କିଛି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଜବାନପାଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏମିତି ଏକ ନିଆରା ହାଟର ବ୍ୟବସ୍ଥା କରିଛନ୍ତି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ । ବିଦ୍ଯାଳୟ ପରିସର ମଧ୍ଯରେ ଅସ୍ଥାୟୀ ହାଟର ବ୍ଯବସ୍ଥା କରି ପିଲାଙ୍କୁ ଅଭିନବ ଉପାୟରେ ଗଣିତ ଓ ଡିଜିଟାଲ ଶିକ୍ଷା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ କେବଳ ସପ୍ତାହକୁ ଥରେ ହାଟକୁ ଯାଇ ବଜାର କରିବା ଆଦିବାସୀଙ୍କ ଏକ ପ୍ରାଚୀନ ପରମ୍ପରା । ହେଲେ ଶିକ୍ଷାର ଅଭାବ ଯୋଗୁଁ ବିଭିନ୍ନ ସମୟରେ ଆଦିବାସୀ ଲୋକେ ହାଟ ବଜାରକୁ ଯାଇ ଠକାମିର ଶିକାର ହେଉଛନ୍ତି । ତେଣୁ ପିଲାଟି ବେଳୁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗଣିତ ଶିକ୍ଷା ପ୍ରଦାନ କରିବା ସହ ବଜାରରେ ଟଙ୍କାର କିପରି ପରିଚାଳନା କରାଯାଏ ସେଥିପ୍ରତି ଶିକ୍ଷା ଦିଆଯାଇଛି । ଏହାସହ ଅନଲାଇନ ନେଣଦେଣର ମଧ୍ୟ ହାଟରୁ ଶିକ୍ଷା ପାଇଛନ୍ତି ଛାତ୍ରଛାତ୍ରୀ ।  ଡିଜିଟାଲ ଇଣ୍ଡିଆରେ ଗୁଗଲ ପେ’ ଓ ଫୋନ ପେ’ ମାଧ୍ୟମରେ କେମିତି କ୍ୟାସ୍ ଲେସ୍ କାରବାର ହେଉଛି ତାହା ଶିଖିଛନ୍ତି ଛାତ୍ରଛାତ୍ରୀ ।

ବିଦ୍ୟାଳୟ ପରିସରରେ ଅସ୍ଥାୟୀ ହାଟ ବସିବା ଦ୍ଵାରା ଛାତ୍ରଛାତ୍ରୀମାନେ କିଣା ବିକାର ଅଭିଜ୍ଞତା ହାସଲ କଲେ । ଜବାନପାଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।