ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ବିଚାର ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି । କୋର୍ଟ ମାମଲାର ବିଚାର କରି ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ୩୭୦ ଧାରା ହଟିବା ବିରୋଧରେ ହୋଇଥିବା ଆବେଦନର ବିଚାର କୋର୍ଟରେ ୧୬ ଦିନ ଧରି ଚାଲିଥିଲା ।

ମୁଖ୍ୟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ବିଚାରପତି ଏସକେ କୋଲ, ସଞ୍ଜୀବ ଖାନା, ବି.ଆର. ଗବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରିଥିଲେ ।

୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ ।

ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଉଭୟ ପକ୍ଷଙ୍କୁ ଯଦି କିଛି କହିବାର ଥିବ ତେବେ ଲିଖିତ ଆକାରରେ ତିନିଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି ।