ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ
1 min readଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଟ ପରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦରେ ହାଇଆଲର୍ଟ । ଗାଁରେ ପଇଁତରା ମାରୁଛନ୍ତି ୭ ପ୍ଲାଟୁନ ଫୋର୍ସ । ୫ଟି ୱାର୍ଡରେ ଜାରି ହୋଇଛି ୧୬୩ ଧାରା । ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । ସ୍କୁଲ ଓ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଦୋକାନ-ବଜାର, ଗାଡ଼ି ଚଳାଚଳ ବନ୍ଦ । ଗଳିକନ୍ଦି ଉପରେ ରହିଛି ପୋଲିସର ସତର୍କ ନଜର । ଗହଳି ଦେଖିଲେ ବାନ୍ଧିବାକୁ ଦିଆଯାଇଛି ନିର୍ଦ୍ଦେଶ । ନିଜେ ଏସପି କରୁଛନ୍ତି ସ୍ଥିତିର ଅନୁଧ୍ଯାନ ।
ରବିବାର ପୂର୍ବ ତିକ୍ତତାକୁ ନେଇ ଅଞ୍ଚଳରେ ଜଳିଥିଲା ନିଆଁ । ମହମ୍ମଦ ସାଜିଦଙ୍କୁ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ଯା କରିଥିଲେ ଦୁର୍ବୃତ୍ତ । ଦୁଇ ଗୋଷ୍ଠୀ ଭିତରେ ପୂର୍ବ ତିକ୍ତତାରୁ ଗ୍ଯାରେଜ ଭିତରେ କରିଥିଲେ ଜଘନ୍ଯ ହତ୍ଯା । ପରିସ୍ଥିତି ସ୍ବାଭାବିକ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ ହୋଇଥିବାରୁ ଅଞ୍ଚଳରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ ପୋଲିସ ଫୋର୍ସ । ଏକାଠି ହେବା, ବାଣ କି ବୋମା ଫୁଟାଇବା, ଶୋଭାଯାତ୍ରା କରିବା, ମାଇକ ବ୍ୟବହାର କରିବା, ଉପରେ ଲାଗିଛି କଟକଣା । ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିଛି ।
ସୂଚନାଯୋଗ୍ୟ, ଦୁଇ ଗୋଷ୍ଠୀ ଭିତରେ ପୂର୍ବ ଶତ୍ରୁତାରୁ ସାଜିଦଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ଯା କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ଗୋଟିଏ ଗୋଷ୍ଠୀ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଅନେକ ଘର ଓ ଗାଡି ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଡିଜିପି ଓ୍ବାଇ ବି ଖୁରାନିୟା ସ୍ଥିତିର ଅନୁଧ୍ଯାନ କରିବା ପରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ମୃତ ସାଜିଦଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଥିବା ବଳେ ସୁରକ୍ଷା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।