ପୁଞ୍ଚ୍ ସେକ୍ୱରରେ ୬ ଆତଙ୍କବାଦୀ ଘେରାବନ୍ଦୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରାୟ ୬ ଆତଙ୍କବାଦୀ ଘେରାବନ୍ଦୀ । ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଘେରି ରହିଛନ୍ତି ଯବାନ । ଜଙ୍ଗଲ ଭିତରୁ ଗୁଳି ଓ ବିସ୍ଫୋରଣ ଶବ୍ଦ ଆସୁଥିବାରୁ ଯବାନମାନେ ସତର୍କ ରହିଛନ୍ତି । ସେଠାରେ ସ୍ୱତନ୍ତ୍ର ବାହିନୀ, ସର୍ଭେଲାନ୍ସ ଯନ୍ତ୍ରପାତି ମୁତୟନ କରାଯାଇଛି । ଅପରେସନ ଜାରି ରହିଥିବାରୁ ମେନ୍ଧାର ଓ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁଞ୍ଚର ବିଭିନ୍ନ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବାରୁ ସେମାନଙ୍କୁ କାବୁ କରିବା ଲାଗି କିଛି ଦିନ ଧରି ଉଦ୍ୟମ ଚଳାଇଛି ଭାରତୀୟ ସେନା ।

ଏହାସହ ଭଟ୍ଟ ଦୁରିଆନସ୍ଥିତ ମସଜିଦରେ ସତର୍କତା ଅବଲମ୍ବନ କରାଯିବା ସହ ସେଠାରୁ ବିଭିନ୍ନ ଅପରେସନ ସମ୍ପର୍କରେ ସୂଚନା ଦିଆଯାଉଛି । ଜାମ୍ମୁ ଓ ରଜୌରି ରାଜପଥ ଅନ୍ତର୍ଗତ ମେନ୍ଧାର ଓ ଥାନାମଣ୍ଡି ମଧ୍ୟରେ ଯାନବାହନ ଚଳାଚଳ ବାତିଲ କରାଯାଇଛି । ଘଟଣାସ୍ଥଳରେ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ ବିବେକ ଗୁପ୍ତା ସ୍ଥିତି ସମୀକ୍ଷା କରୁଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କ ରକ୍ଷା କରିବା ସନ୍ଦେହରେ ଭଟ୍ଟ ଦୁରିଆନରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ନିୟନ୍ତ୍ରଣ ରେଖା ସୀମାରେ ସେନାମୁଖ୍ୟ ଜେନେରାଲ ଏମ.ଏମ ନରଓ୍ବାଣେ ସ୍ଥିତି ସମୀକ୍ଷା କରିବା ସହ ଅନୁପ୍ରବେଶ ବନ୍ଦ କରିବା ଲାଗି ଯୋଜନା ପ୍ରସ୍ତୁତ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଗତ ସପ୍ତାହରେ ମଧ୍ୟ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପୁଞ୍ଚ୍ ପରିଦର୍ଶନ କରିଥିଲେ ।

Leave a Reply