ନେପାଳରେ ଚାଲିଛି ଦୁର୍ଘଟଣାଗ୍ରସ୍ତ ବିମାନର ସର୍ଚ୍ଚ ଅପରେସନ

1 min read

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସେନା । ଗତକାଲି କ୍ରାସ୍ ସାଇଟ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ନେପାଳ ସେନା ହେଲିକପ୍ଟର ଯୋଗେ କ୍ରାସ୍ ସାଇଟରେ ପହଞ୍ଚି ଉଦ୍ଧାର ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଗତକାଲି ପୂର୍ବାହ୍ନରେ ନେପାଳ ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ କୋଓ୍ବାଙ୍ଗରେ ତାରା ଏୟାରର 9-NAET ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲ ।

ଲାମଚେ ନଦୀ ମୁହାଣ ତଥା ମାନପଥି ପର୍ବତ ନିମ୍ନଦେଶରେ ଦୁର୍ଘଟଣା ଘଟିଥିବା ବେଳେ ସେନାର ସ୍ବତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ନେପାଳ ଆର୍ମିର ସହକାରୀ ମୁଖପାତ୍ର ରଥି ନାରାୟଣ ସିଲଓ୍ବାଲ କହିଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା କଥା ସେମାନେ ସମ୍ଭାବ୍ୟ ଦୁର୍ଘଟଣାସ୍ଥଳରେ ଏକ ଅଗ୍ନି ପିଣ୍ଡୁଳା ଖସି ପଡ଼ିଥିବା ଦେଖିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ବିହାରର ଗୋଟିଏ ପରିବାରର ୭ ସଦସ୍ୟ ଥିବା ସୂଚନା ମିଳିଛି । ସେମାନେ ମୁକ୍ତିନାଥ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିଲେ । ବିହାର ଧନୁଷ ଜିଲ୍ଲାର ମିଥିଳିଆ ପୌରାଞ୍ଚଳର ବାସିନ୍ଦା ରାଜନ କୁମାର ଗୋଲେ ଓ ତାଙ୍କ  ପରିବାରର ଅନ୍ୟ ୬ ସଦସ୍ୟ ଏହି ବିମାନରେ ଥିଲେ ।

ବିମାନରେ ମୋଟ ୨୨ ଯାତ୍ରୀ ରହିଥିଲେ । ଓଡିଶାର ଅଶୋକ ତ୍ରିପାଠୀ ଓ ପରିବାରର ଅନ୍ୟ ତିନି ସଦସ୍ୟ ସେହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉଡାଣର ୧୫ ମିନିଟ ପରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅବତରଣର ମାତ୍ର ୫ ମିନଟ ପୂର୍ବରୁ ଏହା କ୍ରାସ ହୋଇଥିବା ସୂଚନା ମିଳିଛି ।