ଆତଙ୍କବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ସେନା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି

ଜାମ୍ମୁ: ଆତଙ୍କବାଦୀଙ୍କ ସହ ଲଢେଇ କରି ଦେଶ ପାଇଁ ଜୀବନ ଦେଇଥିବା ସେନା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି । ଜାମ୍ମୁରେ ଜୁମକୁ ସମ୍ମାନ ଜଣାଇଛନ୍ତି ୨୯ ଆର୍ମି ଡଗ୍ ୟୁନିଟ । ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁରଙ୍କ ସହ ଯବାନମାନେ ଉପସ୍ଥିତ ରହି ଜୁମ୍ ଉଦ୍ଦେଶ୍ୟରେ ସ୍ମୃତି ତର୍ପଣ କରିଛନ୍ତି । ଗତକାଲି ସହିଦ ହୋଇଯାଇଥିଲା ସେନା କୁକୁର ଜୁମ୍ । ୧୦ ତାରିଖରେ ଜମ୍ମୁ କଶ୍ମୀରର କୋକରନାଗ ଅଞ୍ଚଳରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ସହ ଲଢ଼ିଥିଲା ଜୁମ୍ । ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମକୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା ।

ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।  ପଛ ଗୋଡ଼ ଓ ମୁହଁରେ ଗୁଳି ମାଡ଼ ଯୋଗୁ କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଆହତ ହୋଇମଧ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ସହ ଦୀର୍ଘ ସମୟ ଧରି ଲଢିଥିଲା ଜୁମ୍ । ପରେ ସେନା ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଜୁମକୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଶ୍ରୀନଗରର ଆର୍ମି ଭେଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର କରାଯାଇ ତା’ ଶରୀରରୁ ଦୁଇଟି ଗୁଳି ବାହାର କରାଯାଇଥିଲା । ପରେ ତା’ର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାକୁ ମାତ୍ର ୨ ବର୍ଷ ହୋଇଥିଲା । ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ଜୁମକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା ।