ଅଗ୍ନିବୀର ଭର୍ତ୍ତିରେ ବମ୍ଫର ବୃଦ୍ଧି: ଏଣିକି ପ୍ରତିବର୍ଷ ହେବ ଏକ ଲକ୍ଷ ନିଯୁକ୍ତି
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର । ଶୀଘ୍ର ଭାରତୀୟ ସ୍ଥଳସେନା ଅଗ୍ନିବୀରରେ ଭର୍ତ୍ତି ଦୁଇଗୁଣା କରିବାକୁ ଯାଉଛି । ଆଗାମୀ ନିଯୁକ୍ତିରେ ପ୍ରାୟ ଏକ ଲକ୍ଷ ଯୁବବର୍ଗଙ୍କୁ ନିଆଯିବ । ୩ ବର୍ଷ ପୂର୍ବେ ୨୦୨୨ରୁ ପ୍ରତିବର୍ଷ ୪୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ମିଳୁଥିଲା । ଯାହା ଏବେ ଦୁଇଗୁଣା ହେବାକୁ ଯାଉଛି ।
କାହିଁକି ତେବେ ଭର୍ତ୍ତି ?
ଏବେ ପ୍ରଶ୍ନ ଉଠୁଛି, ସେନା ଏତେ ସଂଖ୍ୟାରେ ଅଗ୍ନିବୀରଙ୍କୁ କହିଁକି ଭର୍ତ୍ତି କରିବାକୁ ଯାଉଛି । କାରଣ ବର୍ତ୍ତମାନ ସ୍ଥଳସେନାରେ ଏକ ଲକ୍ଷ ୮୦ ହଜାର ସୈନିକ ପଦବୀ ଖାଲି ରହିଛି । ୨୦୨୦-୨୧ରେ କରୋନା କାରଣରୁ ଦୁଇ ବର୍ଷ କୌଣସି ଭର୍ତ୍ତି କରାଯାଇନି । ପ୍ରତିବର୍ଷ ୬୦ରୁ ୬୫ ହଜାର ଯବାନ ଅବସର ନେଉଛନ୍ତି । ହେଲେ, ଏହି ସଂଖ୍ୟାରେ ସେନାରେ ଭର୍ତ୍ତି ହୋଇପାରୁନି । ଏମିତି ସ୍ଥିତିରେ ପ୍ରତିବର୍ଷ ୨୦ରୁ ୨୫ ହଜାର ଯବାନ ପଦବୀ ଖାଲି ରହୁଛି । ଅଗ୍ନିବୀର ଯୋଜନା ଆରମ୍ଭ ହେବା ପରେ ବି ଏହି ସମସ୍ୟାର ସମାଧାନ ହୋଇପାରୁନି ।
କେତେ ଅଗ୍ନିବୀରଙ୍କ ନିଯୁକ୍ତି ହେଲାଣି ?
ମିଳିଥିବା ତଥ୍ୟ ଅନୁସାରେ ୨୦୨୨ରୁ ୨୦୨୫ ଶେଷ ସୁଦ୍ଧା ଏକ ଲକ୍ଷ ୭୫ ହଜାର ଅଗ୍ନିବୀରଙ୍କ ଭର୍ତ୍ତି ହୋଇଛି କିମ୍ବା ହେବାକୁ ଅଛି । ହେଲେ ଏହି ସଂଖ୍ୟା ବି ସେନାରେ ଯବାନଙ୍କ ଅଭାବ ପୂରା କରିପାରୁନି ।
ଯୋଜନା କ’ଣ ?
ଆସନ୍ତାବର୍ଷରୁ ପ୍ରତିବର୍ଷ ଏକ ଲକ୍ଷ ଅଗ୍ନିବୀର ଭର୍ତ୍ତି କରାଯିବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମ ଥର ୨୦୨୬ ଡିସେମ୍ବରରୁ ପୁରୁଣା ଅଗ୍ନିବୀରଙ୍କ ଅବସର ଆରମ୍ଭ ହେବ । ସଂଖ୍ୟା ସ୍ଥିର ରଖିବାକୁ ନୂଆ ପିଲାଙ୍କୁ ଅଧିକ ନେବା ଆବଶ୍ୟକ ହୋଇପଡିଛି । ସେହିପରି ସେନାରେ ଟ୍ରେନିଂ ସିଷ୍ଟମର କ୍ଷମତା ମଧ୍ୟ ବୃଦ୍ଧି କରାଯାଉଛି । କାରଣ ଅଧିକ ପିଲାଙ୍କୁ ଏକା ସାଙ୍ଗରେ ଉନ୍ନତମାନର ଟ୍ରେନିଂ ଯେମିତି ଦେଇ ହେବ ।
ସେନାର ଜଣେ ବଡ଼ ଅଧିକାରୀ କହିଛନ୍ତି, ସେନାରେ ଯେତିକି ପୋଷ୍ଟ କମ ରହିଛି, ସେତିକି ଭର୍ତ୍ତି କରାଯିବ । ଟ୍ରେନିଂ କ୍ବାଲିଟି କମ କରାଯିବା ନାହିଁ । ଯେତେ ପିଲା ଟ୍ରେନିଂ ସେଣ୍ଟର ସମ୍ଭାଳି ପାରିବ ସେତେ ଅଗ୍ନିବୀର ନେବୁ ।
ଯଦି ଆପଣ ଅଗ୍ନିବୀର ହେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବଡ଼ ଖୁସିର ଖବର । କାରଣ ଆଗାମୀ ବର୍ଷ ଅଧିକ ପିଲାଙ୍କୁ ସୁଯୋଗ ମିଳିବାକୁ ଯାଉଛି ।

