ପୁଞ୍ଛ ଆତଙ୍କବାଦୀ ଆକ୍ରମଣ ଘଟଣା; ଅଳ୍ପକେ ବର୍ତ୍ତିଯାଇଥିବା ଓଡ଼ିଆ ଯବାନ କାଳିଚରଣଙ୍କ ଚାଲିଛି ଚିକିତ୍ସା

ମୟୂରଭଞ୍ଜ: ପୁଞ୍ଚ ଆତଙ୍କବାଦୀ ହମଲାରେ ଆହତ ହୋଇଥିବା ସେନା ଡ୍ରାଇଭର କାଳିଚରଣ ମହାନ୍ତ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳରେ । ଜମ୍ମୁ କାଶ୍ଳୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଆତଙ୍କବାଦୀମାନେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିବା ଫଳରେ ୫ଜଣ ଯବାନ ଶହୀଦ ହୋଇଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଶୋକାକୁଳ ବାତାବରଣ ରହିଛି ।

୫ ଶହୀଦ ଯବାନଙ୍କ ମଧ୍ୟରେ ପୁରୀ ସତ୍ୟବାଦୀର ଦେବାଶିଷ ସାମିଲ ଅଛନ୍ତି । ତାଙ୍କର ମୃତ୍ୟୁକୁ ନେଇ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତେବେ ଜଣେ ଆହତ ଡ୍ରାଇଭର କାଳିଚରଣଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଵୈଶିଙ୍ଗା ଥାନା ଅନ୍ତର୍ଗତ ମନ୍ତ୍ରୀଡ଼ାହୀ ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ କାଳିଚରଣ ବିଗତ ୨୦୧୦ ମସିହାରୁ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଦେଶ ମାତୃକାର ସେବା କରିଆସୁଛନ୍ତି । ଗତକାଲି ଗୁରୁବାରରେ ପୁଞ୍ଚ ଠାରେ ହୋଇଥିବା ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣର ଶିକାର ହୋଇଥିବା ଗାଡିଟିକୁ ସେ ହିଁ ଚଳାଉ ଥିଲେ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ୫ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇ ଯାଇଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଗୁରୁତର ଭାବେ ଆହତ ହୋଇ ଅଳ୍ପକେ ବର୍ତ୍ତିଯାଇଥିଲେ କାଳିଚରଣ । ସେ ଏବେ ସେନା ଶିବିରରେ ଚିକିତ୍ସିତ ହେଉଥିବା ସୂଚନା । ପରିବାର ଓ ସମ୍ପର୍କୀୟ ଲୋକଙ୍କ ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଅଛି ଏବଂ ସେ ପରିବାରବର୍ଗଙ୍କ ସହିତ ନିୟମିତ ବ୍ୟବଧାନରେ କଥା ହୋଉଛନ୍ତି । ପ୍ରଥମେ ଘଟଣା ସମ୍ପର୍କରେ ଶୁଣି ଚିନ୍ତିତ ଥିବା ପରିବାରବର୍ଗ ଏବେ ଆଶ୍ୱସ୍ତ ହୋଇଛନ୍ତି ।