ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ

1 min read

ଭୁବନେଶ୍ୱର: ପୁଣି ବଡ଼ ହୃଦୟର ପରିଚୟ ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ଦାସ । ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ମଧ୍ୟ ଉପସ୍ଥିତ ରହିଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧନ୍ଦୁ ।

ଦୀନ,ଦୁଃଖୀ, ଦାରିଦ୍ରଙ୍କ ପାଇଁ ଦରଦୀ ମଣିଷ ଅର୍ଦ୍ଧେନ୍ଦୁ । ସେ କେବଳ ଜଣେ ଅଭିନେତା ନୁହଁନ୍ତି, ଜଣେ ହୃଦୟବାନ ମଣିଷ ମଧ୍ୟ । ଆଗରୁ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ କରିଛନ୍ତି । ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅନେକ ଅନାଥ ପିଲାଙ୍କ ପାଇଁ ସାହାରା ସାଜିଛନ୍ତି । ବିଭିନ୍ନ ସମୟରେ ଅନେକ ଅନାଥଶ୍ରମକୁ ଯାଇ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି । ଦୁଃଖି-ରଙ୍କୀଙ୍କ ସାଥିରେ ସର୍ବଦା ସାଥ୍ ଦେଇଛନ୍ତି ଅର୍ଦ୍ଧେନ୍ଧୁ । ସେଥିପାଇଁ ତାଙ୍କୁ ଦରଦୀ ବନ୍ଧୁ ଅର୍ଦ୍ଧେନ୍ଧୁ ବୋଲି ଅନେକ କୁହନ୍ତି ।

ଦିଲ୍ଲୀର ILVS ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କିଡ଼ନୀ ଡୋନର ସ୍ଥିର ହୋଇଛନ୍ତି । ତଥାପି ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ଏଭଳି ସମୟରେ ପିଣ୍ଟଙ୍କ ସାଥ ଦେଇଛନ୍ତି ରାଜ୍ୟବାସୀ, ସାଥି କଳାକର ଓ ସିନେମା ସଂଘ । ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ପିଣ୍ଟୁ ନନ୍ଦ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି ।

ସେପଟେ ଅର୍ଥ ପ୍ରଦାନ ପାଇଁ ତାଙ୍କ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଅନୁରୋଜଧ କରିଛନ୍ତି । ଅନ୍ୟଥା ଅନ୍ୟ କୌଣସି ଆକାଉଣ୍ଟକୁ ପଠାଇବେ ନାହିଁ । ଅନେକ ଚଳଚିତ୍ରରେ ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି ପିଣ୍ଟୁ । ତେଣୁ ପିଣ୍ଟୁଙ୍କ ଅସମୟରେ ଠିଆ ହୋଇଛନ୍ତି ଦର୍ଶକ, ସାଥି କଳାକାର ଓ ସିନେମା ସଂଘ । ଯଥା ସମ୍ଭବ ସାହାଯ୍ୟ ପ୍ପରଦାନ କରୁଛନ୍ତି ଲୋକେ । ଆଜି ଭୋରରୁ ଅପରେସନ ପାଇଁ ପିଣ୍ଟୁ ଦିଲ୍ଲୀ ଯାଇଥିବାବେଳେ ହାତ ଯୋଡି ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏବଂ ସେଠାରେ ଆବଶ୍ୟକୀୟ ଅର୍ଥ ପାଇଁ ପୂର୍ବପରି ସାହାଯ୍ୟ ଓ ସମର୍ଥନ କରିବାକୁ ନିବେଦନ କରିଛନ୍ତି । ସେପଟେ ଅର୍ଦ୍ଧେନ୍ଦୁଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।