spot_img

Latest Posts

ଭିନ୍ନକ୍ଷମଙ୍କୁ ସକ୍ଷମ କରୁଛି ସୁନ୍ଦରଗଡ଼ର ଏଆରସି: ଆଶାବାଡ଼ି ଛାଡ଼ି ଠିଆ ହେଲେ ଯୋଶେଫ ତିର୍କୀ

ରାଉରକେଲା: ୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ବାଟ ଚାଲୁଥିଲେ ଯୋଶେଫ । ହେଲେ ଏବେ ଆଉ ଆଶାବାଡ଼ିର ସାହାରା ଦରକାର ପଡ଼ୁନି ।  ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି । ଏହା  ସମ୍ଭବ ହୋଇପାରିଛି ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ସହାୟତାରେ । ବିନା ଆଶା ବାଡ଼ିରେ ଛିଡ଼ା ହୋଇପାରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଯୋଶେଫ ଏବଂ ଏଆରସି, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

          ୧୯୯୬ ମସିହାର ଘଟଣା। ଯୋଶେଫ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସମ୍ବଲପୁରରୁ ରାଉରକେଲା ଆସୁଥିଲେ। ହେଲେ ଟ୍ରେନରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ ହରାଇଥିଲେ। ସେହିଦିନଠାରୁ ଯୋଶେଫଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଚୂରମାର ହୋଇଗଲା। ଆଶାବାଡ଼ି ପାଲଟିଗଲା ଯୋଶେଫଙ୍କ ଜୀବନର ସବୁଠାରୁ ବଡ଼ ସାଥୀ! ସ୍ଥାନୀୟ ଏଏନଏମ ଦିଦିଙ୍କଠାରୁ ଯୋଶେଫ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଲେ। ଏଠାରେ ଭିନ୍ନକ୍ଷମମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ମିଳୁଥିବା ଖବର ପାଇ ଯୋଶେଫ ତାଙ୍କ ବାପା ଏବଂ ସାଙ୍ଗ ଜୟଚନ୍ଦ୍ର ଚୌଧୁରୀଙ୍କୁ ଧରି ସୁନ୍ଦରଗଡ଼ ଆସିଥିଲେ।

 ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ରେ ସମସ୍ତ ପ୍ରମାଣପତ୍ର ଦାଖଲ କରି କୃତ୍ରିମ ଗୋଡ଼ ପାଇଁ ମାପ ଦେଇଥିଲେ ଯୋଶେଫ। ନିକଟରେ ତାଙ୍କୁ କୃତ୍ରିମ ଗୋଡ଼ ମିଳିଛି। ଏହି କୃତ୍ରିମ ଗୋଡ଼କୁ ସେ କିଭଳି ଭାବରେ ବ୍ୟବହାର କରିବେ ସେ ନେଇ ତାଙ୍କୁ ସେଠାରେ ତାଲିମ ମଧ୍ୟ ଦିଆଯାଇଛି। ଏବେ ଯୋଶେଫ କୃତ୍ରିମ ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇପାରୁଛନ୍ତି। ‘‘ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଚିକିତ୍ସା ଓ ପୁନର୍ବାସ ଲାଗି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ରୋବୋଟିକ୍ସ ଫିଜିଓଥେରାପି ସହିତ କମ୍ପ୍ୟୁଟର ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି। ତେଣୁ ଜିଲ୍ଲାର ହିତାଧିକାରୀମାନେ କିପରି ଏହି ସେବା ପାଇ ପାରିବେ ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଳ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ନିର୍ମିତ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ମିଳୁଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଲାଗି ଏହି ଚିକିତ୍ସା ବେଶ୍ ଲାଭଦାୟକ ହୋଇପାରିଛି। ତା’ ସହିତ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ଏହି କେନ୍ଦ୍ରରେ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ କରିବାକୁ ଚାହୁଁଥିବା ବ୍ୟକ୍ତି ଏଆରସିର ମୋବାଇଲ୍ ନମ୍ବର 7327815125 କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର 011-41182138 ମାଧ୍ୟମରେ ଯୋଗାଯୋଗ କରିପାରିବେ।

Latest Posts

Don't Miss