ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ସହ ଏମଓୟୁ

1 min read

ଭୁବନେଶ୍ବର: ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର । କ୍ରୀଡ଼ା ବିଭାଗ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ହେଲା ବୁଝାମଣା ପତ୍ର ସ୍ବାକ୍ଷର । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପ୍ରତିଷ୍ଠା କରିବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଆର୍ସେଲର ମିତ୍ତର ନିପ୍ପନ ଷ୍ଟିଲ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି ।  ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶ୍ବସ୍ତରୀୟ ସ୍ପୋର୍ଟ୍ସ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଉପରେ ଥିବା ଫୋକସକୁ ନେଇ ଆଲୋଚନା କରିଥିଲେ । ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଷୟରେ ମଧ୍ୟ କହିଥିଲେ । ଯାହା ରେକର୍ଡ ସମୟ ୧୫ ମାସ ମଧ୍ୟରେ ତିଆରି ହୋଇଥିଲା । କିଛିଦିନ ତଳେ କୋୟଟୋର ଦୋଶିସା ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ କିଟ୍‌ ବିଶ୍ବବିଦ୍ୟାଳୟ ଆସିଥିଲେ । ସେମାନେ ଓଡ଼ିଶା ଆସି ଏଠାରେ ଅନେକ ସମ୍ଭାବନାର ସୁଯୋଗ ଦେଖିବାକୁ ପାଇଥିଲେ । କ୍ରୀଡା  ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ ଏଭଳି ପ୍ରତିନିଧି ଦଳ ଓଡ଼ିଶା ଆସି ସମ୍ଭାବନା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କର ନୂଆ ଦିଗ ପ୍ରତି ଦୃଷ୍ଟି ଦେବାକୁ ଅପିଲ କରିଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ନିବେଶ ପ୍ରସ୍ତାବ ଆସୁଥିବା ବେଳେ ଓଡ଼ିଶା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଆଇଟି ଓ ଆଇଟିଏସ୍ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଫୁଜି ସଫ୍ଟ ଗ୍ରୁପ୍ ଭୁବନେଶ୍ବରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟର ଦକ୍ଷତା ବିକାଶ ପଦକ୍ଷେପକୁ ଧ୍ୟାନରେ ରଖି ନିଟକଲ OUTR ସହିତ ମିଳିତ ଭାବେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ । ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ଲଜିଷ୍ଟିକ୍ ଏବଂ ଷ୍ଟୋରେଜରେ ନିବେଶ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି ।

NYK ଲାଇନ୍ସ ଗ୍ରୀନ୍ ଆମୋନିୟା ପରିବହନ ପାଇଁ ପାରାଦୀପ, ଗୋପାଳପୁର, ଧାମରାରେ ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି ଅବସରରେ ଓଡ଼ିଶାରେ ଥିବା ବନ୍ଦରରେ ବର୍ତ୍ତମାନ ଥିବା ବ୍ୟବସ୍ଥା ଓ ଦକ୍ଷତା ସମ୍ପର୍କରେ ଆଲୋଚନା ହୋଇଛି । ଗ୍ରୀନ ଆମୋନିଆ ଓ ହାଇଡ୍ରୋଜେନ ଟ୍ୟାଙ୍କ ଏବଂ ଷ୍ଟୋରେଜ ଫେସିଲିଟି ପାଇଁ ସୁମିଟୋମୋ କର୍ପୋରେସନ ମଧ୍ୟ ନିବେଶ କରିବାକୁ ପ୍ରସ୍ତାବ ଦେଇଛି । ସେମାନେ ଗୋପାଳପୁରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ନିବେଶର ରୋଡମ୍ୟାପ ଦେଖେଇବା ସହ ହେବାକୁ ଥିବା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସମର୍ଥନ ରହିବ ବୋଲି କହିଛନ୍ତି ।

ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ  ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟତଃ ଜାପାନ-ଓଡିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କକୁ ଅଧିକ ସୁଦୃଢ କରିବା ପାଇଁ  ଆଲୋଚନା କରାଯାଇଛି ।