ବର୍ଷକରେ ୨ ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡିଶାରେ ବିଶ୍ବସ୍ତରୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଗ୍ରୀନ ସିଗନାଲ । ପ୍ରକଳ୍ପ ଲାଗି ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । କେନ୍ଦ୍ରାପଡାରେ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ମଞ୍ଜୁର କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ନିଷ୍ପତ୍ତି ଅନୁସାରେ କେନ୍ଦ୍ରାପଡାର ମହାକାଳପଡାରେ ବାର୍ଷିକ ୨୪ ନିୟୁତ ଟନ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ।

ଏଥିରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ ଯୋଗୁ ପ୍ରତ୍ୟକ୍ଷ ଭାବେ ୧୬ ହଜାରରୁ ଅଧିକ କର୍ମନିଯୁକ୍ତି ହେବା ସହ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରକଳ୍ପରୁ ଅତ୍ୟାଧୁନିକ ଗ୍ରୀନ ଷ୍ଟିଲ ଟେକନୋଲୋଜିରେ ବିଭିନ୍ନ ଗ୍ରେଡର ୨୪ ନିୟୁତ ଟନ ଷ୍ଟିଲ ଉତ୍ପାଦିତ ହେବ । ଏହା ସହ ଅନ୍ୟାନ୍ୟ ଉଚ୍ଚମୂଲ୍ୟଯୁକ୍ତ ଇସ୍ପାତ ବି ଉତ୍ପାଦିତ ହୋଇପାରିବ । ଉକ୍ତ ପ୍ରକଳ୍ପରୁ ମଧ୍ୟ ଅନ୍ୟ ଏକ କାରଖାନାରୁ ୧୮ ଲକ୍ଷ ୭୫ ହଜାର ନିୟୁତ ଟନ ସିମେଣ୍ଟ ଉତ୍ପାଦିତ ହେବ । ଏହା ହେବ ଦେଶର ସର୍ବବୃହତ ସିମେଣ୍ଟ କାରଖାନା ।

ଏହି ପ୍ରକଳ୍ପ ପର୍ଯ୍ୟାୟକ୍ରମେ ୭ ବର୍ଷରେ ଶେଷ ହେବ । ପ୍ରକଳ୍ପ ଦ୍ବାରା ସାମଗ୍ରିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଭିତ୍ତିଭୂମି ବିକାଶ ହୋଇପାରିବେ । ଏହି ବୃହତ ପୁଞ୍ଜିନିବେଶ ଦ୍ବାରା ଓଡିଶାରେ ଗତ ବର୍ଷକ ଭିତରେ ୨ ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ପ୍ରାୟ ୧ ଲକ୍ଷ ୬ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ବାରା ଓଡିଶା ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟର ମାନ୍ୟତା ଲାଭ କରିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ହେବ ।

Leave a Reply