ବୈତରଣୀରେ ବନ୍ଯାପାଣି ମାଡି ଆରଡି ଅଂଚଳରେ ଏକର ଏକର ଫସଲ ନଷ୍ଟ

ଆରଡି : ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁଁ ବୈତରଣୀରେ ବନ୍ଯାପାଣି ଆସି ଭଦ୍ରକ ଆରଡି ଅଂଚଳରେ ଏକର ଏକର ଫସଲ ନଷ୍ଟ। ଉପରମୁଣ୍ଡରୁ ଆସୁଥିବା ବନ୍ଯାପାଣି ତଳମୁଣ୍ଡରେ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରାପାଟଣା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଞ୍ଚଳ ଦେଇ ଧାମାରା ମୁହାଣ ସମୁଦ୍ରକୁ ନିଷ୍କାସନ ହୋଇଥାଏ।ହେଲେ ବୈତରଣୀ ନଦୀରେ ପ୍ରବାହିତ ହେଉଥିବା ବନ୍ଯାଜଳ ନିଷ୍କାସନରେ ବାଧକ ସାଜିଛି ସମୁଦ୍ର ଜୁଆର ପାଣି। ବିଭିନ୍ନ ଏସକେପ ଓ ନଈଯୋର ଦେଇ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ଯାପାଣି। ୧୦ଦିନ ହେଲା ବୋଡକ, ସାଠିବାଙ୍କୁଡା, ଅମୃତମଣି, ମୁଆଁ, ସନ୍ତରା ଆଦି ତଳିଆ ଅଞ୍ଚଳର ଶହଶହ ଏକର ସାରଦ ଧାନତଳି ବନ୍ଯାପାଣିରେ ବୁଡି ରହିଛି। ଲଗାଣବର୍ଷାରୁ ବନ୍ଯାପାଣି ଜମି ରହିବା ଫଳରେ ଧାନତଳି ପଚି ସଢି ଗଳାଣି। କ୍ଷେତରେ ଏପରି ଅବସ୍ଥା ଦେଖି ଚାଷୀ ବର୍ଷକର ଆହାର କିପରି ଯୋଗାଡ କରିବ ଏହି ଚିନ୍ତା ଘାରିଛି।