ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ ଆବାସିକ କଲୋନୀ ପାଇଁ ୪୨୯ ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ

1 min read

ଭୁବନେଶ୍ୱର : ବିକଶିତ ହେବ ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ । ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା । ତିନି ମାସରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅଗଷ୍ଟ ମାସ ୨୩ ତାରିଖରେ 5T ସଚିବ  ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା । ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କିଲୋମିଟରରୁ ଅଧିକ ଅଞ୍ଚଳକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ ।5T Secretary Pandian continues Khurda district visit

ରିପୋର୍ଟ ପାଇବା ପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ବର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି । ଆବାସିକ କଲୋନୀରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା । ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ବର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି । ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।