ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ ଆବାସିକ କଲୋନୀ ପାଇଁ ୪୨୯ ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ
1 min readଭୁବନେଶ୍ୱର : ବିକଶିତ ହେବ ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ । ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା । ତିନି ମାସରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅଗଷ୍ଟ ମାସ ୨୩ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା । ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କିଲୋମିଟରରୁ ଅଧିକ ଅଞ୍ଚଳକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ ।
ରିପୋର୍ଟ ପାଇବା ପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ବର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି । ଆବାସିକ କଲୋନୀରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା । ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ବର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି । ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।