ପ୍ରଶଂସା ସାଉଣ୍ଟିଲା ନବୀନ ସରକାରଙ୍କ କାମ, ୨୪ ବର୍ଷର ବିକାଶକୁ ସ୍ଵୀକୃତି

ଭୁବନେଶ୍ବର : ନାଗରିକ ସଶକ୍ତୀକରଣ ଓ ବ୍ୟବସ୍ଥିତ ଅର୍ଥ ପ୍ରବାହନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ପ୍ରଜାସ୍ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ ରିପୋର୍ଟରେ ନାଗରିକ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସହରାଞ୍ଚଳ ପ୍ରଶାସନ ଅବା ଅର୍ବାନ୍ ଗଭର୍ଣାନ୍ସ କ୍ଷେତ୍ରରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ୨୪ ବର୍ଷରେ ନବୀନ ପଟ୍ଟନାୟକ ଯେଉଁ କାମ କରିଥିଲେ, ସେଥିପାଇଁ ମିଳିଛି ଏହି ସଫଳତା। ନାଗରିକ ସଶକ୍ତିକରଣ ବର୍ଗରେ ମୋଟ ୨୫ ନମ୍ବରରୁ ଓଡ଼ିଶା ସବୁଠାରୁ ଅଧିକ ୨୧ ନମ୍ଵର ପାଇ ଶୀର୍ଷରେ ରହିଛି।  ବିତ୍ତୀୟ ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶାକୁ ସପ୍ତମ ସ୍ଥାନ ମିଳିଛି। ଏହା ସହିତ ସହରାଞ୍ଚଳ ପ୍ରଶାସନ ସୂଚକାଙ୍କ (ୟୁଜିଆଇ) ରେ ଓଡ଼ିଶା ସାରା ଦେଶରେ ହାସଲ କରିଛି ଦ୍ଵିତୀୟ ସ୍ଥାନ। ମୋଟ ୧୦୦ ନମ୍ବରରୁ  ଓଡ଼ିଶା ପାଇଛି ୫୫ ଦଶମିକ ୧ । ୫୯ ଦଶମିକ ୩୧ ନମ୍ବର ପାଇ କେରଳ ରହିଛି ଶୀର୍ଷରେ। ଅଭିଯୋଗ ସମାଧାନ ବ୍ୟବସ୍ଥାରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି | ବ୍ୟବସ୍ଥିତ ଅର୍ଥ ପ୍ରବାହନ କ୍ଷେତ୍ରରେ ବି ଏକ ନମ୍ଵର। ମେୟର ଏବଂ କର୍ପୋରେଟରଙ୍କୁ କ୍ଷମତା ପ୍ରଦାନରେ ଓଡିଶାର ପ୍ରଦର୍ଶନ ଉତ୍ସାହଜନକ ରହିଛି । ପ୍ରାଶାସନିକ ପରିଚାଳନା, ନେତୃତ୍ବ ଓ ବ୍ୟକ୍ତିତ୍ବ ଭାବେ ନବୀନ ପଟ୍ଟନାୟକ ନମ୍ବର ୱାନ ରହି ଆସିଛନ୍ତି। ଏହାର କାରଣ ସେ ଗାଁରୁ ସହର ଯାଏ, ସବୁଠି ବିକାଶ କରିଛନ୍ତି। ବସ୍ତି ବାସିନ୍ଦାଙ୍କୁ ଦେଇଛନ୍ତି ଅଧିକାର। ମୁକ୍ତା, ଜାଗା ମିଶନ, ପାନୀୟ ଜଳ ଯୋଗାଣ, ସ୍ବଚ୍ଛ ଜଳ ଯୋଗାଇବା ପରି ନବୀନଙ୍କ ଅନେକ ଯୋଜନା ସହରବାସୀଙ୍କ ମୁହଁରେ ହସ ଫୁଟାଇ ପାରିଛି। ଏହି ସବୁ କାମ ପାଇଁ ଓଡ଼ିଶା ଏବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ବିଜେଡି କଟାକ୍ଷ କରିଛି, ନବୀନଙ୍କ ସଫଳତାର ନାଁ ଓ ରଙ୍ଗ ବଦଳାଇ ନିଜର ମାର୍କେଟିଂ କରୁଛି ବିଜେପି।

ସହରୀ ବ୍ୟବସ୍ଥାରେ ନବୀନ ସରକାର ସମସ୍ତ ୧୮ ଟି କ୍ଷେତ୍ରରେ ପୌର ସଂସ୍ଥାକୁ କ୍ଷମତା ଦେଇଥିଲା । ପରିମଳ, ଡ୍ରେନେଜ, ସ୍ଵେରେଜ, ଷ୍ଟ୍ରିଟ ଲାଇଟିଂ,  ନିର୍ମାଣ ଓ ରାସ୍ତା କାମ ପରି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସାମିଲ କରିଥିଲେ। ନବୀନଙ୍କ ଅମଳରେ ହିଁ ଠିକ୍ ସମୟରେ ହୋଇଥିଲା ପୌର ନିର୍ବାଚନ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବି ସେ କରିଥିଲେ। ପୌର ଓ ପଞ୍ଚାୟତର ଗୁରୁତ୍ବପୂର୍ଣ୍ଣ ପଦରେ ଯେପରି ମହିଳା ବସିବେ, ସେ ବ୍ୟବସ୍ଥା ବି କରିଥିଲେ ନବୀନ। ଭୁବନେଶ୍ବରରେ ତ ଉଭୟ ମେୟର ଓ ଡେପୁଟି ମେୟର ହେଉଛନ୍ତି ମହିଳା। ପୁରୁଷଙ୍କ ସମେତ ମହିଳାଙ୍କୁ ସଶକ୍ତ କରିବାରୁ ସାମଗ୍ରିକ ଭାବେ ନାଗରିକଙ୍କୁ ସଶକ୍ତ କରିବାରେ ସକ୍ଷମ ହୋଇଛନ୍ତି ନବୀନ ପଟ୍ଟନାୟକ । ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ ।

ସହରାଞ୍ଚଳ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଜେଡି ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଶାସନିକ କ୍ଷେତ୍ରରୁ ନେଇ ନିର୍ବାଚିତ ଜନପ୍ରତିନିଧି ଓ ନାଗରିକ ସମସ୍ତଙ୍କୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯିବାରୁ  ଓଡ଼ିଶା ଆଜି ଏସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛି। ପ୍ରଶାସନକୁ ଉତ୍ତରଦାୟୀ ଏବଂ ପାରଦର୍ଶୀ କରାଯାଇଛି। ସରକାରୀ ବ୍ୟବସ୍ଥାରେ ଜନତାଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନବୀନ ସରକାର ନେଇଥିବା ପଦକ୍ଷେପ ଫଳପ୍ରଦ ହୋଇଛି। ୪ ବର୍ଷ ହେଲା ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇ ରାଜ୍ୟଗୁଡ଼ିକର ମୂଲ୍ୟାୟନ କରାଯାଉଛି । ଏହାର ସର୍ଭେ ପାଇଁ ୨୮ ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରି ତଥ୍ୟ ସଂଗ୍ରହ କରାଯାଇଥିଲା ।