ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନ କରିବାକୁ ନେଇ ରାସ୍ତାକୁ ଓଲ୍ହାଇଛନ୍ତି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ଜାତୀୟ ଶିକ୍ଷା ନୀତି ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ଗଣ ସଙ୍ଗଠନକୁ ଗୋଟିଏ ବ୍ୟାନରରେ ଏକାଠି କରିବାକୁ ଶିକ୍ଷକ, ଶିକ୍ଷାବିତଙ୍କ ନିଷ୍ପତ୍ତି ।
ଜାତୀୟ ଶିକ୍ଷା ନୀତିକୁ ଆଧାର କରି ସରକାର ମନଇଚ୍ଛା ରାଜ୍ୟରେ ଶିଶୁ ବାଟିକା ଖୋଲିଲେ । ପଢ଼ାଇବା ପାଇଁ ହଜାର ହଜାର ପ୍ରଶିକ୍ଷିତ ପ୍ରାକ ପ୍ରାଥମିକ ଶିକ୍ଷକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ନାହିଁ । ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନ ଶୁଣିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାକ ପ୍ରାଥମିକ ଶିକ୍ଷକ ଆଶାୟୀ । ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଖୋଦ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ପିଏମଜିରେ ଧାରଣା ଦେଇଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ରାଜ୍ୟରେ ହଜାର ହଜାର ସ୍ୱତନ୍ତ୍ର ଡିଇସିଇ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ସରକାର ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦେବାକୁ ବିରୋଧ କରିଛି ସଂଘ ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ ମନଇଚ୍ଛା ଲାଗୁ କରିବା, ଶିଶୁ ବାଟିକରେ ଶିକ୍ଷକ ନିଯୁକ୍ତି ନ ଦେବା ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ଏକାଠି ହେବେ ରାଜ୍ୟର ଶିକ୍ଷକ ସମାଜ, ବୁଦ୍ଧିଜୀବୀ, ରାଜନେତା ଓ ଗଣ ସଂଗଠନ । ନିଖିଲ ଉତ୍କଳ ଶିକ୍ଷକ ମହାସଙ୍ଘ ବ୍ୟାନରରେ ସମସ୍ତେ ଏକାଠି ହେବେ । ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି ।