ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ

1 min read

ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ପଦକ୍ଷେପ ମାଧ୍ୟମରେ ନୂତନ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗକୁ ଉତ୍ସାହିତ କରାଯିବ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଆବେଦନ ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.in  ରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି । ମାଧ୍ୟମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆବେଦନ କରିବେ । ସେହିପରି ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ଆବେଦନ କରିବେ । ଅନ୍ୟପକ୍ଷରେ ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ । ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ ।

ସେହପିରି ଡିଇଓ, ବିଇଓ, ସିଆର୍‌ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ । ଜିଲ୍ଲା ପୁରସ୍କାର ପାଇଁ ଜିଲ୍ଲାପାଳ ଓ ବ୍ଲକ୍ ପୁରସ୍କାର ପାଇଁ ବିଡିଓ ଆବେଦନ କରିିବେ । ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ ୱେବସାଇଟ୍‌ରେ ଆବେଦନ କରିବେ । ଅଧିକ ବିବରଣୀ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍‌ରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧାବୀ, ମେଧାବୃତ୍ତି ଓ ନେତୃତ୍ୱ ପୁରସ୍କାର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ କରାଯିବ । ରାଜ୍ୟସ୍ତରରେ ୧୯, ୪୬୭ଟି ପୁରସ୍କାର ବାବଦରେ ୩୨, ୧୭, ୨୯, ୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪, ୫୮, ୫୦, ୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ବ୍ଲକ୍‌ସ୍ତରରେ ୩୪, ୮୫୪ଟି ପୁରସ୍କାର ବାବଦକୁ ୫୯, ୯୭, ୪୦, ୦୦୦ ଟଙ୍କା ପ୍ରଦାନ କରାଯିବ । ମହାନଗରନିଗମସ୍ତରରେ ୫୦ଟି ଓ ସବ୍‌ଡିଭିଜିନାଲ୍‌ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧, ୬୦, ୦୦୦ ପୁରସ୍କାର ରାଶି ଦିଆଯିବ ।