ରକ୍ତ ସଂକ୍ରମଣର ଶିକାର ରାହୁଲ, ହସ୍ପିଟାଲରେ ରହିବ ସାତ ଦିନ

ରାୟପୁର: ରାହୁଲର ସ୍ବାସ୍ଥ୍ୟ ବିବରଣୀ ଜାରି କଲା ଆପୋଲୋ ହସ୍ପିଟାଲ  । ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ. ସୁଶୀଲ କୁମାର ଜାରି କଲେ ମେଡିକାଲ ବୁଲେଟିନ । ରାହୁଲର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି  । ପୂର୍ବାପେକ୍ଷା ସେ ଭଲ ଅଛି  । କିନ୍ତୁ ରାହୁଲ ଶରୀରରେ ଅଧିକାଂଶ ସଂକ୍ରମଣ ଦେଖାଯାଇଥିବା ବୁଲେଟିନରେ ଉଲ୍ଲେଖ ହୋଇଛି।

ଦିଲ୍ଲୀ ଆପୋଲୋ ହସ୍ପିଟାଲରୁ ନିଆଯାଉଛି ପରାମର୍ଶ  । ଆହୁରି ଯାଞ୍ଚ ରିପୋର୍ଟ ଆସିବାକୁ ବାକି ରହିଛି । ଦିନେ କି ଦୁଇ ଦିନ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ  ।୫ ରୁ ୬ ଜଣ ଡାକ୍ତର ରାହୁଲର ଚିକିତ୍ସା କରୁଛନ୍ତି  । ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ମେଡିକାଲ ବୁଲେଟିନରେ ଦର୍ଶାଯାଇଛି  ।

 

ଦୀର୍ଘ ୫ ଦିନ ବୋରୱେଲ ଗର୍ତ୍ତ ଭିତରେ ରହିବା ପରେ ରାହୁଲ ଠାରେ ଚର୍ମରୋଗ ଦେଖାଦେଇଛି  । ଶରୀରର ଅଧିକାଂଶ ଭାଗ ସଂକ୍ରମଣର ଶିକାର ହୋଇଛି  ।ଲଗାତାର ପାଣିରେ ରହିବା ଯୋଗୁଁ ତା ଠାରେ ବ୍ୟାକ୍ଟେରିଆ ସଂକ୍ରମଣ ହେବା ସହ ରକ୍ତ ବି ସଂକ୍ରମିତ ହୋଇଛି  । ୭ ଦିନ ଅବଜରଭେସନରେ ରଖିବା ପରେ ଡାକ୍ତର ଆଗକୁ ଚିକିତ୍ସା କରିବେ  । କାରଣ ଏଭଳି ସଂକ୍ରମଣ ବେଳେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ  ।

 

ଛତିଶଗଡ ଜାଞ୍ଜଗିର ଚମ୍ପାରେ ଖେଳୁଥିବା ସମୟରେ ବୋରୱେଲ ପାଇଁ ଖୋଳାଯାଇଥିବା ଗାତରେ ପଡିଯାଇଥିଲା ରାହୁଲ  । ଦୀର୍ଘ ୧୦୪ ଘଣ୍ଟାର ଅପରେସନ ପରେ ସେ ଗତକାଲି ସୁରକ୍ଷିତ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଥିଲା ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ ।