କଂଗ୍ରେସ ବ୍ୟତୀତ ଓଡ଼ିଶାରେ ଆଉ କେହି କରିନହାନ୍ତି କ୍ରସ ଭୋଟିଂ
ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳର ବିଧାୟକ କରିନାହାନ୍ତି କ୍ରସ ଭୋଟିଂ । ରାଜ୍ୟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୭ ଥିବାବେଳେ ଭୋଟ ଦେଇ ନଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୪୬ ଭୋଟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୧୩୭ ଭୋଟ ମିଳିଥିବାବେଳେ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ମିଳିଛି ୯ଟି ଭୋଟ ।
ରାଜ୍ୟରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୨ ଥିବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ରହିଛି ୨୨ । ବିଜେଡିରୁ ବହିଷ୍କୃତ ସ୍ବାଧୀନ ବିଧାୟକ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ସଂଖ୍ୟା ମିଶିବାରୁ ଦ୍ରୌପଦୀ ପାଇଛନ୍ତି ମୋଟ ୧୩୭ ଭୋଟ । କଂଗ୍ରେସର ୯ ବିଧାୟକ ଥିବାବେଳେ ସିପିଏମର ଅଛନ୍ତି ଜଣେ ବିଧାୟକ । ଜାତୀୟସ୍ତରରେ ହୋଇଥିବା ବୁଝାମଣା ଅନୁସାରେ ସିପିଏମ ବିଧାୟକ ଦେଇଛନ୍ତି ସିହ୍ନାଙ୍କୁ ଭୋଟ । ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କ୍ରସ ଭୋଟିଂ କରିଥିବାବେଳେ ସିପିଏମର ଗୋଟିଏ ଭୋଟ ଯୋଗୁଁ ସିହ୍ନା ପାଇଛନ୍ତି ମୋଟ ୯ଟି ଭୋଟ ।
ରାଜ୍ୟର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ରହିଛି ୧୪୯ । ଫଳରେ ଦ୍ରୌପଦୀ ପାଇଥିବା ଭୋଟ ମୂଲ୍ୟ ରହିଛି ୨୦ ହଜାର ୪୧୩ । ଯଶଓ୍ବନ୍ତ ସିହ୍ନା ପାଇଥିବା ଭୋଟ ମୂଲ୍ୟ ରହିଛି ୧ ହଜାର ୩୪୧ । ବିଜେପି ବିଧାୟକ କ୍ରସ ଭୋଟିଂ କରିଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି ।