ବିଜେପି ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅପରାଜିତା

ଭୁବନେଶ୍ୱର: ରାଜ୍ୟ ବିଜେପିରେ ତୀବ୍ର ଅସନ୍ତୋଷ । ପୂର୍ବରୁ କର୍ମୀ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏବେ ନେତା ଖୋଲାଖୋଲି ଭାବେ ଗଣମାଧ୍ୟମ ସାମ୍ନାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୌର ପରାଜୟ ନେଇ ବିଜେପି ମଙ୍ଗୁଆଳଙ୍କୁ ଦାୟୀ କରିଛନ୍ତି ଦଳୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେ କହିଛନ୍ତି, ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ପଞ୍ଚାୟତ ନିର୍ବାଚନରେ ପରାଜୟ ପରେ କହିଥିଲେ ଏବେ ବି କହିବି ବିଜେପି ନିକଟରେ ବିଜୟୀ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ରାଜ୍ୟ ନେତୃତ୍ୱ ସୁଦୃଢ଼ ନ ହେବା ପର୍ଯ୍ୟନ୍ତ ଆମେ ଜିତିପାରିବୁନାହିଁ । ଯେତେବେଳେ ଯାଏଁ ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହେବନାହିଁ, ସୁଦୃଢ଼ ହେବେ ନାହିଁ ସେଯାଏଁ ଆମେ ବିଜୟୀ ହୋଇପାରିବୁନାହିଁ । ଦିଲ୍ଲୀରୁ ଫେରିବା ପରେ ଏହା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପୌର ପ୍ରଚାର ସମୟରେ ମଧ୍ୟ ବିଜେପି ମଙ୍ଗୁଆଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ କର୍ମୀ । ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଅସହଯୋଗ ମନୋଭାବ ଦେଖିବାକୁ ମିଳିଥିଲା । ଦଳୀୟ ନେତାଙ୍କ ଆଶୀର୍ବାଦ ଓ ସମର୍ଥନର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି ବିଜେପିରେ ଅଲ ଇଜ ନଟ ୱେଲ ଚେହେରାକୁ ପଦାରେ ପକାଇଦେଇଥିଲା ।

ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରିଥିଲେ ବାପି । ଛଅରୁ ସାତ ଦିନ ପ୍ରଚାର ବାକି ଅଛି । ହେଲେ ପ୍ରାର୍ଥୀଙ୍କୁ ପତାକା ଦେଇ ପାରୁ ନାହିଁ ଦଳ । ସତସାହସ ନଥିବାରୁ ଦଳୀୟ ନେତାଙ୍କୁ ନିର୍ବାଚନରୁ ଓହରିବାକୁ ସେ ଆହ୍ୱାନ ଦେଇଛନ୍ତି । କହିବାକୁ ଗଲେ ଦଳୀୟ କନ୍ଦଳକୁ ସେ ଖୁଲ୍ଲମଖୁଲା ସାମ୍ନାକୁ ଆଣିଛନ୍ତି । ବିଜେପି ନେତାମାନେ ଦଳୀୟ ଅସହଯୋଗକୁ ଅସ୍ୱୀକାର କରି ବାପି ବିଜେପି କର୍ମୀ ନୁହନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ରାଜ୍ୟ ସ୍ୱାର୍ଥ ପ୍ରସଂଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ କରିବେ ଆଲୋଚନା