ରାଜ୍ୟ ବିଜେପିରେ ଫାଟ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ପାଇଁ କିଏ ତତ୍ପର..

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଓ ଫାଟ। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭବନେଶ୍ବର ସାଂସଦ ଅପରାଜିତାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଥିବା ନଜର ଆସୁଛି। ଉଭୟଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ବାରମ୍ବାର ପ୍ରମାଣିତ ହୋଇସାରିଛି । ଏବେ ଶ୍ରେୟ ନେବାକୁ ଚାଲିଥିବା ପ୍ରତିଦ୍ବନ୍ଦିତା ଦାଣ୍ଡରେ ପଡି ହାଟରେ ଗଡୁଛି। ପୁରୁଣା ଭୁବନେଶ୍ବରରେ ଥିବା ସପ୍ତମ ଶତାବ୍ଦୀର କପିଳେଶ୍ବର ମନ୍ଦିରକୁ ନେଇ ଧର୍ମେନ୍ଦ୍ର ଅପରାଜିତା ବାହାବା ନେବା ପାଇଁ ଉଦ୍ୟମ କରିଛନ୍ତି। ଦେଖନ୍ତୁ ଏ ଚିଠିକୁ କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଗତକାଲି ଏହି ଚିଠି ଗଣମାଧ୍ୟମକୁ ଦିନ ବେଳା ଆସିଥିଲା । ହେଲେ ସଂଧ୍ୟାରେ ସାମ୍ନାକୁ ଆସିଲା ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଏକ ଟୁଇଟ୍‌ । ଏହି ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ଦାୟିତ୍ବ  ଏଏସଆଇ ନେବେ ବୋଲି । ଅପରାଜିତା ଏପ୍ରିଲ ୪ ତାରିଖରୁ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଭେଟିଥିଲେ  । କାଳେ କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଧର୍ମେନ୍ଦ୍ର ବାହାବା ନେଇଯିବେ ସେଥିପାଇଁ ଅପରାଜିତା ଏହା ଟୁଇଟର ମାଧ୍ୟମରେ ଜଣାଇଥିଲେ । ଦୁଇ ନେତାଙ୍କ ଏହି ଶ୍ରେୟ ନେବା କଳି ପାଇଁ ଏବେ ରାଜ୍ୟ ବିଜେପି ଭାଗ ଭାଗ ହୋଇପଡୁଥିବା ଚର୍ଚ୍ଚା ହେଉଛି ।

ଅପରାଜିତା ବିଜେପିର ଜଣେ ଆଗଧାଡିର ନେତା । କିନ୍ତୁ ଝାରସୁଗୁଡା ଉପ ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ । ସମୀକ୍ଷକଙ୍କ ମତରେ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ଲୋକ। ସେଥିପାଇଁ ଟଙ୍କଧରଙ୍କ ଲାଗି ପ୍ରଚାର କରିବାକୁ ଅପରାଜିତା ଚାହିଁନାହାନ୍ତି । ଆଉ କେହି କେହି ଆକଳନ କରୁଛନ୍ତି ଯେ , ଯେହେତୁ ଝାରସୁଗୁଡା ଉପ ନିର୍ବାଚନ ଦାୟିତ୍ବ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇଛନ୍ତି । ତେଣୁ ସେ ଅପରାଜିତାଙ୍କୁ ପ୍ରଚାରକୁ ଡାକି ମାଇଲେଜ ଦେବାକୁ ଚାହିଁ ନାହାନ୍ତି । ବିନା ଆମନ୍ତ୍ରଣରେ ଅପରାଜିତା କେମିତି ପ୍ରଚାରରେ ସାମିଲ ହୋଇଥାନ୍ତେ ବୋଲି ଆଲୋଚନା ହେଉଛି । ତେବେ ଏବେ ଏହି ପ୍ରସଙ୍ଗ ରାଜ୍ୟ ବିଜେପିର ନେତୃବୃନ୍ଦଙ୍କଠୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଡୁଆରେ ପକାଇଛି ।