ରାହୁଲ ଗାନ୍ଧିଙ୍କ ଆକାଉଣ୍ଟ ବ୍ଲକ୍ କରିବା ବିରୋଧରେ ‘ଟ୍ୱିଟର ବାର୍ଡ’କୁ ତେଲରେ ଭାଜିଲେ କଂଗ୍ରେସ କର୍ମୀ
ବାଙ୍ଗାଲୁରୁ: ନିକଟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ଏହାକୁ ନେଇ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଥିଲା। କଂଗ୍ରେସ କର୍ମୀ ଏହାକୁ ନେଇ ଏପର୍ଯ୍ୟନ୍ତ ବିରୋଧ କରୁଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶର କଂଗ୍ରେସ କର୍ମୀ ଜି.ଭି ଶ୍ରୀ ରାଜ ଏହାକୁ ନେଇ ଭିନ୍ନ ଧରଣରେ ବିରୋଧ ପ୍ରଦର୍ଶନ କରିଛନ୍ତି। ପରବର୍ତ୍ତୀ ସମୟରେ କଂଗ୍ରେସ ଦଳର ଭାବମୂର୍ତ୍ତିକୁ ଅପବିତ୍ର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ ଜିଭି ଶ୍ରୀ ରାଜ ଆନ୍ଧ୍ରପ୍ରଦେଶର ପୂର୍ବତନ ସାଂସଦ ଜି.ଭି ହର୍ଷ କୁମାରଙ୍କ ପୁଅ। ସେ ଏକ ମୃତ କୁଏଲ ପକ୍ଷୀକୁ ପ୍ୟାନରେ ପ୍ୟାନରେ ଭାଜି ଏହାକୁ ‘ଟ୍ୱିଟର ବାର୍ଡ’ ବୋଲି କହିଥିଲେ । ଏହା ପରେ ସେ ଏହାକୁ ପାର୍ସଲ କରି ଟ୍ୱିଟର ଇଣ୍ଡିଆର ଭାରତ ମୁଖ୍ୟାଳୟକୁ ପଠାଇବା ପାଇଁ ଡାକ ବିଭାଗକୁ ମଧ୍ୟ ଯାଇଥିଲେ ।
ଏକ ଭିଡିଓରେ ଶ୍ରୀ ରାଜ କହୁଛନ୍ତି ଯେ, ଆମେ କଂଗ୍ରେସ ଦଳ ପକ୍ଷରୁ ଟ୍ୱିଟର ପକ୍ଷୀକୁ ଭାଜୁଛୁ । ତୁମେ ମାନେ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ କରି ଏବଂ ଆମ ଟ୍ୱିଟଗୁଡ଼ିକୁ ଆଗକୁ ନବଢ଼ାଇ ଭୁଲ କରିଛ । ତେଣୁ ଆମେ ଏହି ପକ୍ଷୀକୁ ରାନ୍ଧୁଛୁ ଏବଂ ଦିଲ୍ଲୀ ସ୍ଥିତ ଟ୍ୱିଟର ମୁଖ୍ୟାଳୟକୁ ପଠାଇବୁ ।
ଶ୍ରୀ ରାଜଙ୍କ ଏହି ଭିନ୍ନ ପ୍ରତିବାଦ ଯୋଗୁଁ ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଏବେ ଚିନ୍ତାରେ । ପାର୍ଟିର କହିବା ଅନୁୟାୟୀ, ଏହି କାର୍ଯ୍ୟକଳାପରେ ପାର୍ଟି ହାଇକମାଣ୍ଡ ଖୁସି ନୁହଁନ୍ତି। ଭିଡିଓ ଭାଇରାଲ ହେବା ପରେ ଶ୍ରୀ ରାଜ କହିଛନ୍ତି ଯେ, ସେ କାରଣ ଦର୍ଶାଇ ନୋଟିସକୁ ଅପେକ୍ଷା କରିଛନ୍ତି। କିନ୍ତୁ ତା ପୂର୍ବରୁ ଅଗଷ୍ଟ ୨୦ ତାରିଖରେ ତାହ୍କୁ ପାର୍ଟିରୁ ନିଲମ୍ବନ ପତ୍ର ପାଠାଯାଇଥିଲା ।
ଏହି ଚିଠିରେ ଲେଖାଅଛି ଯେ, ‘ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଜି.ଭି ଶ୍ରୀ ରାଜଙ୍କୁ ଦଳର ପ୍ରାରମ୍ଭିକ ସଦସ୍ୟତାରୁ ନିଲମ୍ବିତ କରିଛି। ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହି ଚିଠିରେ ଦର୍ଶାଯାଇଛି ଯେ ସେ ଟ୍ୱିଟର ବାର୍ଡ ନାମରେ ଏକ ପକ୍ଷୀକୁ ଶୋଷଣ କରିଛନ୍ତି ଏବଂ ଏହାକୁ ସର୍ବସାଧାରଣରେ ତେଲରେ ଭାଜିଛନ୍ତି । ଅନ୍ୟପକ୍ଷରେ, ଶ୍ରୀ ରାଜ ସ୍ପଷ୍ଟ କରିଛନ୍ତି ଯେ ସେ ଏହି କାମ ପାଇଁ ମୃତ ପକ୍ଷୀର ବ୍ୟବହାର କରିଛନ୍ତି।