ମିଶନ ବାତ୍ସଲ୍ୟ ବାଟବଣା: ୮ ମାସରେ ୧୩ ହଜାର ନିଖୋଜ

ଭୁବନେଶ୍ବର: ୮ ମାସରେ ରାଜ୍ୟରେ ୧୩ ହଜାର ଲୋକଙ୍କ ପତ୍ତା ମିଳୁନି । ହଜିଥିଲେ ୨୦ ହଜାର, ମିଳିଛନ୍ତି ମାତ୍ର ୭ ହଜାର । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ମିଶନ ବାତ୍ସଲ୍ୟ’ ଏବେ ବାଟବଣା । ବିଧାୟକ ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ ଉଦବେଗଜନକ ସ୍ଥିତିରେ ନିଖୋଜ ମାମଲା । ୮ ମାସରେ ୧୩ ହଜାର ଲୋକ ନିଖୋଜ । ଶିଶୁ ଓ ଯୁବତୀ ନିଖୋଜ ନେଇ ସାଙ୍ଘାତିକ ତଥ୍ୟ । ସାମାଜିକ ଲଜ୍ୟାରୁ ଏତଲା ଦେବାକୁ ଇଚ୍ଛା କରୁନାହାନ୍ତି ପରିବାର ।

ରାଜ୍ୟରେ ବିଗତ ୮ ମାସରେ କେତେ ଲୋକ ନିଖୋଜ ହୋଇଛନ୍ତି ନେଇ ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋଷ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତଥ୍ୟ ମୁତାବକ, ୨୦୨୪ ଜୁନ ୧ ରୁ ୨୦୨୫ ଫେବୃଆରୀ ୨୮ ମଧ୍ୟରେ ରାଜ୍ୟରୁ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ୭ ହଜାର ୪୮ ଜଣଙ୍କୁ ଉଦ୍ଧାର କରାଯାଇଛି । ୧୩ ହଜାର ୧୨ ଜଣଙ୍କ ପତ୍ତା ଏଯାବତ ମିଳିପାରିନାହିଁ । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଅଛନ୍ତି ଶିଶୁ । ଆର୍ଥିକ ଅନାଟନ, ଶିକ୍ଷା ଦୀକ୍ଷାର ଅଭାବ, ଦାଦନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଓଡିଶା ପୋଲିସର ଭିତ୍ତିଭୂମିର ଅଭାବ ଯୋଗୁଁ ନିଖୋଜ ସଂଖ୍ୟା ବଢୁଥିବା କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ମୁତାବକ ରାଜ୍ୟରେ ଥିବା ମୋଟ ୬୪୯ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ପ୍ରସ୍ତାବ ରହିଛି । ଓଡିଶା ପୋଲିସରେ ଏ ସଂକ୍ରାନ୍ତରେ ଖାଲି ଥିବା ପଦବୀ ପୂରଣ ନିମନ୍ତେ ଯୋଜନା ଚାଲିଛି । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟମାନଙ୍କରେ ଜିଲ୍ଲା ସ୍ତରରେ ଗାଡି ଓ ଡ୍ରାଇଭର ରଖାଯାଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଶନ ବାତ୍ସଲ୍ୟ ପୋଟାଲ କାମ କରୁଥିଲେ ସୁଦ୍ଧା ଜାତୀୟ ସ୍ତରରେ ସିଡବ୍ଲୁସି ଓ ସିସିଆଇ ପକ୍ଷରୁ ନିଖୋଜ ଶିଶୁଙ୍କ ସମ୍ପର୍କିତ ତଥ୍ୟ ଅପଲୋଡ଼ କରାଯାଉନାହିଁ।  ଯେଉଁଥିପାଇଁ ଓଡ଼ିଶାରେ ନିଖୋଜ ଶିଶୁଙ୍କୁ ଠାବ କରିବା କଷ୍ଟକର ହୋଇପଡୁଛି । ନିଖୋଜ ନେଇ ଅନେକ ସ୍ଥାନରେ ଏତଲା ହେଉନାହିଁ । ସାମାଜିକ ଲଜ୍ଜା ଯୋଗୁଁ ମହିଳା ଓ ନାବାଳିକାଙ୍କ କ୍ଷେତ୍ରରେ ପରିବାର ପକ୍ଷରୁ ଏତଲା ନହେବା, ଚିନ୍ତାର ବିଷୟ ପାଲଟିଛି ।