ଡବଲ ମର୍ଡର ମାମଲା: ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡଦେଶ । ଛତିଶଗଡ଼ ରାୟଗଡ଼ ସେସନ କୋର୍ଟ ଶୁଣାଇଲେ ରାୟ । ୨୦୨୦ରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ପୂର୍ବରୁ ଶୁଣାଣି ଶେଷ ହୋଇଥିବା ବେଳେ ଆଜି ରାୟ ଶୁଣାଇଛନ୍ତି ସେସ କୋର୍ଟ । ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟୋପ୍ପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ୨୦୧୬ ମସିହାରେ ଝାରସୁଗୁଡା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ହତ୍ୟା କରିଥିଲେ ଅନୁପ ।

ଏଥିସହ ପଢନ୍ତୁ: ସିନ୍ଦୂର ପାଇଁ ସାଏ ସାଜିଥିଲେ ସଇତାନ୍, ହତ୍ୟା ପରେ ଦେଇଥିଲେ ଦୁର୍ଘଟଣାର ରୂପ

ସୂଚନାଯୋଗ୍ୟ, ୨୦୦୫ରେ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ତାଙ୍କ ସହିତ ସମ୍ପର୍କରେ ଥିଲେ ଅନୁପ । ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଲିଭ୍‌ ଇନ୍‌ରେ ରହୁଥିଲେ । ହତ୍ୟା ପୂର୍ବ ଦିନ ଓଡ଼ିଶାର ଏକ ହୋଟେଲ୍‌ରେ ରହିଥିଲେ । ବିବାହ ପାଇଁ କଳ୍ପନା ଚାପ ପକାଇ ଆସୁଥିଲେ । ବାରମ୍ବାର ବିଭିନ୍ନ ଆଳ ଦେଖାଇ ଅନୁପ ବିବାହକୁ ଟାଳି ଆସୁଥିଲେ । ହେଲେ କଳ୍ପନା ଅଧିକ ଚାପ ପକାଇବାରୁ ରାୟଗଡ଼ରେ ବିବାହ କରିବାକୁ କହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ଅନୁପ  । ରାସ୍ତାରେ ଲୁହା ରଡ୍‌ରେ ପିଟିପିଟି ନିର୍ମମ ଭାବେ କଳ୍ପନାଙ୍କୁ ହତ୍ୟା କରିଥିଲେ ଅନୁପ । ପରେ ତାଙ୍କ ଉପରେ ବୋଲେରୋ ଚପାଇ ଦେଇଥିଲେ । ଓଡ଼ିଶା ସୀମାନ୍ତରୁ ଉଦ୍ଧାର ମୃତଦେହ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ପ୍ରାୟ ବର୍ଷକ ପରେ ୨ ମୃତଦେହକୁ ଚିହ୍ନଟ କରାଯାଇଥିଲା । ମୃତକଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ ପରେ ଅନୁପଙ୍କ ଉପରେ ସନ୍ଦେହ ହୋଇଥିଲା ।