ପୋଖରୀରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ଘଟଣା, ସମ୍ପର୍କୀୟ ଝିଆରୀକୁ ପ୍ରେମ ସମ୍ପର୍କରୁ ହତ୍ୟା

ଅନୁଗୁଳ: ଅନୁଗୁଳରୁ ଅପହରଣ ପରେ ହତ୍ୟା  । ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା  ପୋଲିସ କହିଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ୩ ଜଣ ଫେରାର ରହିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗାଁର ମାମୁଲି ଓରଫ ସଞ୍ଜିଲ ପ୍ରଧାନ । ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ  ଅଭିଯୋଗ ହୋଇଥିଲା  । ଏନେଇ ଜରପଡା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା ।

ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ  ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ କୋରଡା ଗାଁରୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ  । ଏହାପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ ଵାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ବିକାଶର ଗଳା ଚିପି ହତ୍ୟା କରିଥିଲେ । ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗାଁକୁ  ନେଇ  ଏକ ପୋଖରୀରେ ପଥର ବାନ୍ଧି ପକାଇ ଦେଇଥିଲେ ।  ଏହି ଘଟଣାରେ ପୋଲିସ ଛାନଭିନ କରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଛି ।

ବିକାଶ ବେହେରା ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା କହିଛି ସଞ୍ଜିଲ  । ଏହି ଘଟଣାକୁ ନେଇ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ । ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ବୋଲି  ସ୍ୱୀକାର କରିଥିଲା । ଏହା ଜାଣିବା ପରେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  । ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି ।