ନଭେମ୍ବର ୨ ସୁଦ୍ଧା ଶାଶୂ ଘର ଚାବି ଫେରାଇବେ ବର୍ଷା

କଟକ: ଆସନ୍ତା ମାସ 2 ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ଶାଶୂ ଘର ଚାବି ହସ୍ତାନ୍ତର କରିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ.ଡି.ଜେ.ଏମ କୋର୍ଟ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ସାରିଥିଲେ ମଧ୍ୟ ସେହି ଘରର ଚାବି ଅନୁଭବଙ୍କୁ ହସ୍ତାନ୍ତର କରି ନାହାଁନ୍ତି ।

ଫଳସ୍ବରୂପ ଅନୁଭବ ଏନେଇ କୋର୍ଟରେ ଏକ ପିଟିସନ ଦାଖଲ କରିଲେ । ସେହି ପିଟିସନ ଘରର ଚାବି ତାଙ୍କୁ ହସ୍ତାନ୍ତର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ଜାଞ୍ଚ କରିବାକୁ କୋର୍ଟ ନିକଟରେ ପ୍ରାର୍ଥନା କରିଥିଲେ ଅନୁଭବ । ତେବେ କୋର୍ଟ ଏହି ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବର୍ଷାଙ୍କୁ ଘରର ଚାବି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ଏସଡିଜେଏମ କୋର୍ଟଙ୍କ ନିକଟରେ ବର୍ଷା ଦାୟର କରିଥିବା ଅନ୍ୟ ଏକ ମାମଲାର ପିଟିସନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ଭିଡ଼ିଓ ସେୟାର କରିଛନ୍ତି ଏବଂ ଏହା ଦ୍ବାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଦର୍ଶାଇ ବର୍ଷା ଅନୁଭବଙ୍କ ବିରୁଦ୍ଧରେ ମାନହାନୀ ମକଦମା ରୁଜ୍ଜୁ କରିବା ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ସେହି ସମ୍ପର୍କିତ ମୂଳ ମାମଲାଟି ହାଇକୋର୍ଟରେ ବିଚାରାଧିନ ଥିବାରୁ ଏସ.ଡି.ଜେ.ଏମ କୋର୍ଟ ବର୍ଷାଙ୍କ ଆବେଦନକୁ ଖାରଜ କରିଛନ୍ତି  ।