ସୌମ୍ୟଙ୍କ ଆଲେଖ୍ୟକୁ ନେଇ ଅନୁଭବଙ୍କ ଖୋଲା ଚ୍ୟାଲେଞ୍ଜ, ୧୨ ଘଣ୍ଟା ମଧ୍ୟରେ ପ୍ରମାଣ ଦେବାକୁ ଆହ୍ବାନ

1 min read

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଭବ ପଟ୍ଟନାୟକଙ୍କ ଖୋଲା ଚ୍ୟାଲେଞ୍ଜ । ଦୈନିକ ସମ୍ବାଦର ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ୧୫ ଦିନ ମଧ୍ୟରେ ସମ୍ବାଦରେ ଆପଣଙ୍କର ଦୁଇଟି ଆଲେଖ୍ୟ ଆସିଛି । ଏଥିରେ ଆପଣଙ୍କର ହତାଶା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବୋଲି ସିଧାସଳଖ କହିଛନ୍ତି ଅନୁଭବ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ 5T ସଚିବ କହିଥିବା ନେଇ ଚ୍ୟାଲେଞ୍ଜ କରିଛନ୍ତି । 5T ସଚିବ ଏଭଳି କେଉଁଠି କହିଛନ୍ତି, ତାର ପ୍ରମାଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଆପଣଙ୍କ ଚ୍ୟାନେଲ ଓ ଖବରକାଗଜରେ ୧୨ ଘଣ୍ଟା ମଧ୍ୟରେ ଏହାକୁ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ଯଦି ଆପଣ ପ୍ରମାଣିତ କରିଦେବେ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଅନୁଭବଙ୍କ କହିଛନ୍ତି । ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ବଡ଼ ମିଛୁଆ ବୋଲି ଧରାପଡ଼ିବେ । ଆପଣ ମିଛୁଆ ବୋଲି ରାଜ୍ୟବାସୀ ଧରିନେବେ ।

ଖାଲି ଏତିକି ନୁହେଁ, 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସୂଚନା ନେଇ ମଧ୍ୟ ଅନୁଭବ ସୌମ୍ୟରଞ୍ଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗସ୍ତ ଖର୍ଚ୍ଚ ସମ୍ପର୍କରେ କୌଣସି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି । କିଛି ବର୍ଷ ପୂର୍ବେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ବାବଦରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେ ସମୟରେ ଆପଣଙ୍କର ବିବେକ କେଉଁଠି ଥିଲା ? ଆପଣଙ୍କର ଗଣିତ ଅନୁଯାୟୀ, ଉଭୟ ଚନ୍ଦ୍ରକୁ ଯାଇ ଡିଲ୍ କରିଥାଇ ପାରନ୍ତି । 5T ସଚିବ ନିଜ ପରିବାରକୁ ଭେଟିବାକୁ ଓଡ଼ିଶା ବୁଲୁନାହାନ୍ତି । ସେ ଲୋକଙ୍କୁ ଭେଟୁଛନ୍ତି । ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି । ମୋ ସୂଚନା ଅନୁସାରେ, ଖଣ୍ଡପଡ଼ାରୁ ସର୍ବାଧିକ ଅଭିଯୋଗ ପତ୍ର ପାଇଛନ୍ତି 5T ସଚିବ । ଏହା ସୂଚାଇ ଦେଉଛି ଯେ, ଖଣ୍ଡପଡ଼ାବାସୀ ଆପଣଙ୍କ ଉପରୁ ବିଶ୍ବାସ ହରାଇ ସାରିଲେଣି । ଏହା ଆପଣଙ୍କୁ ବାଧୁଛି । ଯେଉଁଥିପାଇଁ ଆପଣ ଆପଣଙ୍କ ଖବର କାଗଜ ମାଧ୍ୟମରେ ରାଗ ସୁଝାଉଛନ୍ତି । ସେହିପରି ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ହୋଇଛି । ତାଙ୍କ ସବୁ ଦୁର୍ନୀତିକୁ ଆପଣଙ୍କ ଖବର କାଗଜ ଓ ଟିଭି ଚ୍ୟାନେଲ ଦେଖାଇଛି । ଆପଣଙ୍କୁ ଲଜ୍ଜା ଲାଗୁନାହିଁ ଯେ, ଆପଣ ଜଣେ ଜାମିନରେ ଥିବା ଅପରାଧୀକୁ ସମର୍ଥନ କରୁଛନ୍ତି । ଆପଣଙ୍କ ମିଛ ଓ ଆପଣଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଲୋଭ ରାଜ୍ୟବାସୀଙ୍କ ଆଗରେ ଖୁଲାସା ହୋଇ ସାରିଲାଣି । ଆଶା କରୁଛି ୧୨ ଘଣ୍ଟା ମଧ୍ୟରେ ଆପଣ ସବୁ ପ୍ରମାଣ ଦେଖାଇବେ ବୋଲି ସୌମ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ପଟ୍ଟନାୟକ ।