ମେହୁଲ ଚୋକସିଙ୍କୁ ଅପହରଣ କରାଯାଇଥିବା ପଛରେ କୌଣସି ସତ୍ୟତା ନାହିଁ !

ଆଣ୍ଟିଗୁଆ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ନେଇ ଆଣ୍ଟିଗୁଆ ଓ ବାରବୁଡା ପୋଲିସର ବଡ଼ ବୟାନ । ପୋଲିସ ମୁଖ୍ୟ ଏଟଲି ରୋଡନୀଙ୍କ ବୟାନ ପରେ ଏବେ ଏହା ରାଜନୈତିକ ପ୍ରସଙ୍କ ପଲଟିଛି । ପୋଲିସ ମୁଖ୍ୟ ଏଟଲି ରୋଡନୀ, ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ଆଣ୍ଟିଗୁଆରୁ ହିଁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅପହରଣ କରାଯାଇଛି । ଯଦିଓ ମେହୁଲ ଚୋକସିଙ୍କ ଓକିଲ ଦାବି କରିଥିଲେ ଯେ ଚୋକସିଙ୍କୁ ଆଣ୍ଟିଗୁଆରୁ ଡୋମିନିକାକୁ ଜବରଦସ୍ତ ଅଣାଯାଇଥିଲା। ଏବଂ ଏମିତି କରିବା ପଛରେ ବୋଧହୁଏ ସେହିମାନଙ୍କର ହାତ ଥିଲା ଯେଉଁମାନେ ଭାରତ ଏବଂ ଆଣ୍ଟିଗୁଆ ପାଇଁ କାମ କରୁଛନ୍ତି ।
ତେବେ ଓକିଲଙ୍କ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛି ଆଣ୍ଟିଗୁଆ ଏବଂ ବାରବୁଡା ପୋଲିସ ମୁଖ୍ୟ ଏଟଲି ରୋଡନୀ । ସେ କହିଛନ୍ତି ଯେ, ତାଙ୍କ ପାଖରେ ସେମିତି କିଛି ବି ପ୍ରମାଣ ନାହିଁ ଯେଉଁଥିରେ ସ୍ପଷ୍ଟ ହେବ ଯେ ଚୋକସିଙ୍କୁ ଆଣ୍ଟିଗୁଆରୁ ଜବରଦସ୍ତ ନିଆଯାଇଛି । କେବଳ ମେହୁଲ ଚୋକସିଙ୍କ ଓକିଲ ଏହା କହୁଛନ୍ତି। ଡୋମିନିକା ପୋଲିସ ମଧ୍ୟ ଓକିଲଙ୍କ ଏହି ଦାବିକୁ ସ୍ପଷ୍ଟ କରିନାହିଁ ।
ସୂଚନା ଯୋଗ୍ୟ ଯେ, ଡୋମିନିକାରେ ଧରାପଡ଼ିଥିବା ପିଏନବି ସ୍କାମର ଅଭିଯୁକ୍ତ ମେହୁଲ ଚୋକସିଙ୍କ ମାମଲା ବର୍ତ୍ତମାନ କୋର୍ଟରେ । ହୀରା ବ୍ୟବସାୟୀ ମେହୁଲର ଓକିଲ ହିବିୟସ୍ କର୍ପସ କୋର୍ଟରେ ନିଜର ପକ୍ଷ ରଖି ଆବେଦନ ମଧ୍ୟ କରିଛନ୍ତି । ଏହି ଆବେଦନରେ ମେହୁଲଙ୍କ ଓକିଲ ଦାବି କରିଛନ୍ତି ଯେ, ମେହୁଲ ଚୋକସିର ଶରୀରରେ ‘ନିର୍ଯାତନାର ଚିହ୍ନ’ ରହିଛି। ଓକିଲ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମେହୁଲ ଚୋକସୀଙ୍କୁ ତାଙ୍କ ବିନା ଅନୁମତିରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ଜବରଦସ୍ତ ଉଠାଇ ନିଆଯାଇଥିଲା ।

ଅନ୍ୟପକ୍ଷରେ, ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ଆଣ୍ଟିଗୁଆରେ ଏକ ରାଜନୈତିକ ପ୍ରସଙ୍ଗ ହୋଇଯାଇଛି । ଆଣ୍ଟିଗୁଆରେ ବିରୋଧୀ ଦଳର ନେତା କହିଛନ୍ତି ଯେ, ଚୋକସି ଆଣ୍ଟିଗୁଆର ନାଗରିକ ଏବଂ ତାଙ୍କ ନାଗରିକଙ୍କୁ ଅନ୍ୟ କୌଣସି ଦେଶକୁ ହସ୍ତାନ୍ତର କରାଯିବନାହିଁ। କାରଣ ଡୋମିନିକାରେ ଚୋକସି ଗିରଫ ହେବା ପରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେହୁଲ ଚୋକସିଙ୍କୁ ସିଧାସଳଖ ଭାରତକୁ ହସ୍ତାନ୍ତର କରାଯିବା ଉଚିତ।

Leave a Reply