ନାଫିଥ୍ରୋମାଇସନ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

1 min read

ନନ୍ଦିଘୋଷ ବ୍ୟୁରୋ: ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କୋଭିଡରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ବାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ କରିବାରେ ଅବ୍ୟର୍ଥ ସାବ୍ୟସ୍ତ ହୋଇପାରେ । ତେବେ ବିଶ୍ବ ସ୍ତରରେ ଏହାର ଆଦୃତି କେତେ ହେବ ସେ ନେଇ ଏ ପର୍ଯ୍ୟନ୍ତ ଗବେଷଣା ହୋଇନି । ବିଶେଷଜ୍ଞଙ୍କ ମତ ଆସନ୍ତା ବର୍ଷ ଆଡ଼କୁ ଭାରତୀୟ ବଜାରରେ ଏହି ନୂଆ ଆଣ୍ଟିବାୟୋଟିକ ଉପଲବ୍ଧ ହେଲେ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ।

କାଳ ହେଲାଣି ଆଣ୍ଟିବାୟୋଟିକର ମନଇଚ୍ଛା ବ୍ୟବହାର । ଆଜିଥ୍ରୋମାଇସିନ୍ ଓ ମାକ୍ରୋଲାଇଡ୍ସ ଆଣ୍ଟିବାୟୋଟିକ୍ସ ଏବେ ଲୋକଙ୍କୁ ଧରୁନି । ଗୋଷ୍ଠୀଗତ ଭାବେ ଲୋକଙ୍କ ଦେହରେ ଚରିଗଲାଣି ଆଣ୍ଟି ମାଇକ୍ରୋବାୟାଲ ରେଜିଷ୍ଟାନସ୍ ବା AMR । ୩୦ ବର୍ଷର ଗବେଷଣା ପରେ ଭାରତୀୟ ବୈଜ୍ଞାନିକ ବାହାର କରିଛନ୍ତି ନୂଆ ଆଣ୍ଟିବାୟୋଟିକ ନାଫିଥ୍ରୋମାଇସିନ୍ । ଭାରତୀୟ ଫାର୍ମାସ୍ଯୁଟିକାଲ କମ୍ପାନୀ ଓ୍ବାକର୍ହଡ଼୍ ଦ୍ବାରା ପ୍ରସ୍ତୁତ ବ୍ରାଣ୍ଡ୍ ‘ମିକ୍ନେଫ’ । ଯାହାକି ଗୋଷ୍ଠୀଗତ ଡ୍ରଗ ରେଜିଷ୍ଟାନସ୍ ବିରୋଧରେ କାମ କରିପାରିବ । ଆଜିଥ୍ରୋମାଇସିନ୍ ବର୍ଗର ଯେଉଁ ଔଷଧ ରୋଗୀକୁ ଯଦି କାମ ଦେବନି । ସେହି ବ୍ୟକ୍ତିକୁ ଏହି ନୂଆ ଆଣ୍ଟିବାୟୋଟିକ ଅମୋଘ ଅସ୍ତ୍ର ଭଳି ୧୦ ଗୁଣ ରୋଗ ଉପଶମ କରିପାରିବ ।

ଶ୍ବାସଜନିତ ସଂକ୍ରମଣ ଓ ଅନ୍ୟ ସଂକ୍ରମଣ ରୋକିବାରେ ଏହି ଔଷଧକୁ ସଫଳତାର ସହ ବ୍ୟବହାର କରିହେବ । କୋଭିଡ ପରେ ସାଧାରଣତଃ ଛୋଟ ପିଲା ଓ ବୟସ୍କଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ଦେଖାଦେଉଛି । ନୂଆ ଆଣ୍ଟିବାୟୋଟିକ୍ ସୁରକ୍ଷିତ ଓ କମ ପାର୍ଶ୍ବ ପ୍ରତିକ୍ରିୟା କରୁଥିବା ଗବେଷଣାରୁ ଜଣାପଡ଼ିଛି । ଭେଷଜ ବିଶେଷଜ୍ଞଙ୍କ ମତ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ମାତ୍ରାଧିକ ଓ ଅଧିକ ଦିନ ଧରି ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଦେହରେ ସେହି ଔଷଧ ଆଉ କାମ କରିବନି । ନୂଆ ଆଣ୍ଟିବାୟୋଟିକକୁ ଯଦି ଲୋକେ ମନଇଚ୍ଛା ବ୍ୟବହାର କରିବେ ତାକୁ ପ୍ରତିହତ କରିବା ପାଇଁ ମାଇକ୍ରୋଅଣୁଜୀବ ବା AMR ସକ୍ଷମ ହେବେ ।

ବରିଷ୍ଠ ନ୍ୟୁରୋ ସର୍ଜନଙ୍କ ମତରେ ଭାରତୀୟ ବୈଜ୍ଞାନିକଙ୍କ ଏହି ଗବେଷଣା ଏବେ ବିଶ୍ବସ୍ତରରେ ମାନ୍ୟତା ପାଇନି । ସାଧାରଣତଃ ଗୋଟିଏ ପ୍ରକାର ଆଣ୍ଟିବାୟୋଟିକ ଉଦ୍ଭାବନ ପାଇଁ ବହୁ ବର୍ଷ ଲାଗିଥାଏ ।  ପ୍ରଥମେ ଏହାକୁ ପଶୁମାନଙ୍କ ଦେହରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯାଏ । ପରେ ପଶୁ ଓ କିଛି ମଣିଷ । ଗୋଷ୍ଠୀଗତ ଭାବେ ପରୀକ୍ଷାନିରୀକ୍ଷା ପରେ ବିଶ୍ବସ୍ତରରେ ଚୟନ ହୋଇଥିବା ଦେଶର ଅଧିକାଂଶ ଲୋକଙ୍କ ସହମତି ଆଧାରରେ ଏହାକୁ ପ୍ରୟୋଗ କରି ଏହାର ଆରୋଗ୍ୟ କ୍ଷମତା ଚୂଡ଼ାନ୍ତ ହୋଇଥାଏ । ନୂଆ ଆଣ୍ଟିବାୟୋଟିକ ଏ ପର୍ଯ୍ୟନ୍ତ ବିଶ୍ବସ୍ତରରେ ଓ ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା ପାଇବା ବାକି ଅଛି । ତେଣୁ ଏହା ଉପରେ ଆହୁରି ଅଧିକ ଗବେଷଣା ଜାରି ଅଛି । ଯଦି ଭାରତୀୟଙ୍କ ଦେହରେ ନୂଆ ଔଷଧ କାମ ଦେବ ସମାନ ଔଷଧ ଅନ୍ୟଦେଶର ଲୋକଙ୍କ ଦେହରେ ସଫଳତାର ସହ କାମ ଦେବ ବୋଲି ଗ୍ୟାରେଣ୍ଟି ନାହିଁ । ଏ ନେଇ ଅଧିକ ଅଧ୍ୟୟନ ଆବଶ୍ୟକ ।

ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରିବା ଆଦୌ ଅନୁଚିତ । ରୋଗ ହେଲେ ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । କାରଣ ଆଣ୍ଟିବାୟୋଟିକ ଖରାପ ଜୀବାଣୁକୁ ନଷ୍ଟ କରିବା ସହିତ ଶରୀରରେ ଥିବା ଭଲ ଜୀବାଣୁକୁ ବି ନଷ୍ଟ କରି ଦେହକୁ ଦୁର୍ବଳ କରିଦେଇଥାଏ ।